ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଭିନେଶଙ୍କୁ ଆଶ୍ଵାସନା, କହିଲେ ପଦକଧାରୀଙ୍କ ପରି ମିଳିବ ସମସ୍ତ ସମ୍ମାନ

1 min read

ନୂଆଦିଲ୍ଲୀ : ରେସଲର ଭିିନେଶ ଫୋଗାଟଙ୍କୁ ମିଳିବ ଜଣେ ମେଡାଲଧାରୀଙ୍କୁ ମିଳିବା ଭଳି ସମ୍ମାନ। ଅଲିମ୍ପିକ୍ସରେ ଜଣେ ରୌପ୍ୟ ପଦକଧାରୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଉଥିବା ସମ୍ମାନ, ପୁରସ୍କାର ଏବଂ ସୁବିଧା ଭଳି ଭିନେଶ ଫୋଗାଟଙ୍କୁ ସମସ୍ତ ସୁବିଧା ପ୍ରଦାନ କରାଯିବ। ଭିନେଶଙ୍କର ଜଣେ ପଦକାଧାରୀ ଭାବେ ରାଜ୍ୟରେ ସ୍ଵାଗତ କରାଯିବ ସହ ସମ୍ବର୍ଦ୍ଧିତ କରାଯିବ। ଏକ୍ସରେ ସୂଚନା ଦେଇ ଏହା କହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସି ସୈନି। ଆମ ସାହାସୀ ଝିଅ ଭିନେଶ ଅଲିମ୍ପିକ୍ସର ଫାଇନାଲକୁ ପ୍ରବେଶ କରିଥିଲେ। କୌଣସି କାରଣରୁ ସେ ଫାଇନାଲ ଖେଳିପାରିନାହାନ୍ତି। ସେ ଆମ ପାଇଁ ଜଣେ ଚାମ୍ପିଅନ୍ ବୋଲି କହିଛନ୍ତି ନାୟବ ସିଂ ସୈନି।

ସେପଟେ ରେସଲିଂରୁ ସନ୍ନ୍ଯାସ ନେଲେ ରେସଲର ଭିନେଶ ଫୋଗଟ। ପ୍ଯାରିସ ଅଲିମ୍ପିକ୍ସରେ ନିଶ୍ଚିତ ପଦକରୁ ବଞ୍ଚିତ ହେବା ପରେ ଏହି କଠୋର ନିଷ୍ପତ୍ତି ନେଇଛନ୍ତି ଭିନେଶ। ଏହା ସହ ତାଙ୍କର ଦୀର୍ଘ ୨୩ ବର୍ଷର କ୍ଯାରିୟରର ଅନ୍ତ ଘଟିଛି। ୫୦ କେଜି ମହିଳା ରେସଲିଂ ଲାଗି ତାଙ୍କୁ ଶେଷ ମୁହୂର୍ତ୍ତରେ ଅଯୋଗ୍ଯ ଘୋଷଣା ପରେ ଭିନେଶ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଘୋଷଣା କରିବା ପରେ ସେ ମାଙ୍କ ଉଦ୍ଦେଶ୍ଯରେ କହିଛନ୍ତି- ସେ ହାରିଗଲେ। ତାଙ୍କୁ କ୍ଷମା ଦିଅନ୍ତୁ। ମାଙ୍କର ସ୍ବପ୍ନ ଭାଙ୍ଗିଗଲା। ମୋ ନିକଟରେ ଅଧିକ ଶକ୍ତି ନାହିଁ। ସେମିଫାଇନାଲରେ ଆଶ୍ଚର୍ଯ୍ୟଜନକ ସଫଳତା ଲାଭ କରିଥିବା ଭିନେଶଙ୍କୁ ଅଯୋଗ୍ଯ ଘୋଷଣାକୁ ନେଇ ସାରା ଦେଶରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତାଙ୍କୁ ଅଯୋଗ୍ଯ ଘୋଷଣା ପରେ କୋର୍ଟ ଅଫ ଆର୍ବିଟ୍ରେସନ ଫର ସ୍ପୋର୍ଟ ବା ସିଏଏସରେ ଆବେଦନ କରିଛନ୍ତି। ସିଏଏସ ୧୯୮୪ରେ ଗଠିତ ହୋଇଥିବାବେଳେ ବିଭିନ୍ନ ବିବାଦର ସମାଧାନ ଲାଗି ଏହା କାର୍ଯ୍ୟ କରିଥାଏ। ୨୯ ବର୍ଷ ବୟସ୍କା ରେସଲରଙ୍କ ଜନ୍ମ ହରିଆଣାରେ ଏବଂ ସେ ୩ ଥର ଲାଗି ଅଲିମ୍ପିକ୍ସରେ ଭାଗ ନେଇଥିଲେ। ୨୦୧୪, ୨୦୧୮ ଓ ୨୦୨୨ରେ କମନୱେଲଥ ଗେମସରେ ସେ ୩ଟି ସ୍ବର୍ଣ୍ଣପଦକ ଜିତିଥିଲେ। କମନୱେଲଥ ଗେମସ ଓ ଏସିଆନ ଗେମସରେ ସ୍ବର୍ଣ୍ଣ ପଦକ ବିଜୟିନୀ ହେବା କ୍ଷେତ୍ରରେ ଭିନେଶ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା।