ସେମିଫାଇନାଲ ପୂର୍ବରୁ ଭାରତୀୟ ହକି ଟିମକୁ ଝଟକା, ଖେଳିପାରିବେନି ଅମିତ ରୋହିଦାସ

ନନ୍ଦିଘୋଷ ବ୍ୟୁରୋ: ପ୍ୟାରିସ୍ ଅଲିମ୍ପିକ୍ସ ହକି ସେମିଫାଇନାଲ ପୂର୍ବରୁ ଭାରତୀୟ ହକି ଟିମକୁ ଜୋରଦାର ଝଟକା ଲାଗିଛି । ସେମିଫାଇନାଲରେ ଭାରତ, ଜର୍ମାନୀ ବିରୋଧରେ ମୈଦାନକୁ ଓହ୍ଲାଇବାକୁ ଥିବା ବେଳେ ଟିମ୍ ଇଣ୍ଡିଆକୁ ନିଜର ଅନୁଭବି ଡିଫେଣ୍ଡର ଅମିତ ରୋହିଦାସଙ୍କ ବିନା ମ୍ୟାଚ୍ ଖେଳିବାକୁ ପଡ଼ିବ । କାରଣ ଭାରତୀୟ ଡିଫେଣ୍ଡରଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ବ୍ୟାନ୍ କରାଯାଇଛି।
ଅମିତ ରୋହିଦାସଙ୍କ ଉପରେ ଗୋଟିଏ ମ୍ୟାଚର ବ୍ୟାନ୍
ଭାରତୀୟ ଡିଫେଣ୍ଡର ଅମିତ ରୋହିଦାସଙ୍କୁ ଗ୍ରେଟ୍ ବ୍ରିଟେନ ବିରୋଧରେ କ୍ୱାର୍ଟର ଫାଇନାଲ ମ୍ୟାଚରେ ରେଡ୍ କାର୍ଡ୍ ଦେଖାଯାଇଥିଲା । ମ୍ୟାଚ୍ କାଳରେ ତାଙ୍କ ହକି ଷ୍ଟିକ୍ ଗ୍ରେଟ୍ ବ୍ରିଟେନ ଖେଳାଳୀଙ୍କ ମୁହଁରେ ବାଜିଥିଲା। ସେଥିପାଇଁ ତାଙ୍କୁ ରେଡ୍ କାର୍ଡ୍ ଦେଖାଯାଇଥିଲା । ରେଡ୍ କାର୍ଡ୍ ମିଳିବା ପରେ ଅମିତ ରୋହିଦାସ ବାକି ସମୟ ପଡ଼ିଆ ବାହାରେ ବସିଥିଲେ। ବର୍ତ୍ତମାନ ସେ ସେମିଫାଇନାଲ ଖେଳିବେ ନାହିଁ ।
ଭାରତୀୟ ହକି ଫେଡେରେସନର ଅପିଲ ନାକଚ
ହକିରେ ରେଡ୍ କାର୍ଡ୍ ମିଳିଥିବା ଖେଳାଳୀଙ୍କୁ ଗୋଟିଏ ମ୍ୟାଚ୍ ବ୍ୟାନ କରାଯିବା ନୂଆ କଥା ନୁହେଁ । ତେବେ ଏଭଳି ନହେବା ପାଇଁ ଭାରତୀୟ ହକି ଫେଡେରେସନ ତରଫରୁ ଅପିଲ କରାଯାଇଥିଲା । କିନ୍ତୁ ଅନ୍ତର୍ଜାତୀୟ ହକି ଫେଡେରସନ ଅପିଲକୁ ନାକଚ କରିଦେଇ ରୋହିଦାସଙ୍କ ଉପରେ ବ୍ୟାନ ଲଗାଇଛି ।
କ’ଣ କହିଲା ଏଫ୍ଆଇଏଚ୍ ?
ଏଫଆଇଚ୍ ତରଫରୁ ଜାରି ବୟାନରେ କୁହାଯାଇଛି ଯେ, ଆଚାର ସଂହିତାର ନିୟମ ଉଲ୍ଲଂଘନ କରିବା କାରଣରୁ ଅମିତ ରୋହିଦାସଙ୍କ ଉପରେ ଗୋଟିଏ ମ୍ୟାଚର ବ୍ୟାନ ଲଗାଯାଇଛି । ସେ ମ୍ୟାଚ୍ ନମ୍ବର ୩୫ ଅର୍ଥାତ ୬ ଅଗଷ୍ଟରେ ଖେଳାଯିବାକୁ ଥିବା ସେମିଫାଇନାଲ ମ୍ୟାଚ୍ ଖେଳି ପାରିବେ ନାହିଁ । ଭାରତକୁ ତାଙ୍କ ବିନା ବାକି ୧୫ ଖେଳାଳୀଙ୍କ ମଧ୍ୟରୁ ଖେଳାଳୀ ଚୟନ କରି ସେମିଫାଇନାଲ ଟିମ୍ ତିଆରି କରିବାକୁ ପଡ଼ିବ ।
ଅମିତ ରୋହିଦାସଙ୍କୁ କେମିତି ମିଳିଥିଲା ରେଡ୍ କାର୍ଡ୍ ?
କ୍ୱାର୍ଟର ଫାଇନାଲ ମ୍ୟାଚ୍ କାଳରେ ରୋହିଦାସଙ୍କ ହକି ଷ୍ଟିକ୍ ଗ୍ରେଟ୍ ବ୍ରିଟେନର ଖେଳାଳୀ ୱିଲ୍ କଲନାନଙ୍କ ମୁହଁରେ ବାଜିଥିଲା । ଅନଫିଲ୍ଡ୍ ରେଫରି ଏହି ଘଟଣାକୁ ଗୁରୁତ୍ୱର ସହ ନେଇନଥିଲେ । କିନ୍ତୁ ବ୍ରିଟେନ ଖେଳାଳୀ ମାନେ ପୁନଃଭିଡିଓ ରେଫରାଲ ନେଇଥିଲେ । ଯାହାପରେ ରୋହିଦାସଙ୍କୁ ରେଡ୍ କାର୍ଡ୍ ମିଳିଥିଲା ।