ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା: ଓଡିଶାରେ ହିତାଧିକାରୀ, ଝାଡଖଣ୍ଡକୁ ଚାଲିଗଲା ଆବାସ ଟଙ୍କା

ନବରଙ୍ଗପୁର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ଯାପକ ଅନିୟମିତତା । ଘର ତିଆରି କରି ହଟହଟା ହିତାଧିକାରୀ । ହିତାଧିକାରୀଙ୍କ ଆକାଉଣ୍ଟଙ୍କୁ ଟଙ୍କା ଆସିବା ବଦଳରେ ଝାଡଖଣ୍ଡ ଚାଲିଗଲା ଆବାସ ଟଙ୍କା। ଏଭଳି ଘଟଣାଟି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝାଡବନ୍ଧଗୁଡା ପଞ୍ଚାୟତ ମୁଦୁଲିଗୁଡା ଗାଁରେ । ଗତ ୨୦୨୩ ମସିହା ଏପ୍ରିଲ ୨୧ ତାରିଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ଯମରେ ମୁଦୁଲିଗୁଡ଼ା ଗାଁର ପଦ୍ମନ ବିଷୋୟୀଙ୍କ ସ୍ତ୍ରୀ କନକ ବିଷୋୟୀଙ୍କୁ ଘର ପାଇଁ କାର୍ଯ୍ଯାଦେଶ ମିଳିଥିଲା । ନୂଆ ଆବାସ ତିଆରି କରିବା ଲାଗି ପୁରୁଣା ଘରକୁ ଭାଙ୍ଗି ଦେଇଥିଲେ ହିତାଧିକାରୀ। ଘର ତୋଳିବାକୁ ଧାର କରଜ କରି ପଥର, ବାଲି, ଇଟା ଜମା କରିଥିଲେ ଏବଂ ନୂଆ ଘର କାମ ଆରମ୍ଭ କରିଦେଇଥିଲେ । କନକ ବିଷୋୟୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ଜମା ହୋଇଥିବା ନେଇ ସରକାରୀ କର୍ମଚାରୀ କହିଥିଲେ । କିନ୍ତୁ ତାହା କନକଙ୍କ ବ୍ୟାଙ୍କ  ଆକାଉଣ୍ଟରେ ଜମା ହୋଇନଥିଲା । ଟଙ୍କା ପାଇଁ ବ୍ୟାଙ୍କକୁ ବାରମ୍ବାର ଦୌଡିବାକୁ ପଡିଥିଲା। ତଥାପି ଟଙ୍କା ମିଳି ନଥିଲା। ପରେ ଟଙ୍କା ନେଇ ଯାଞ୍ଚ କରିଥିଲେ କନକ । ହେଲେ ତାଙ୍କ ଆକାଉଣ୍ଟକୁ ଆସିବାକୁ ଥିବା ଟଙ୍କା ଝାଡଖଣ୍ଡର ଯୋଗେନ୍ଦ୍ର ମହନ୍ତଙ୍କ ଆକାଉଣ୍ଟକୁ ଚାଲିଯାଇଥିବା ନେଇ ଜାଣିବାକୁ ପାଇଥିଲେ । ହେଲେ ଦୀର୍ଘ ୧୪ ମାସ ଧରି ଟଙ୍କା ନ ପାଇବାରୁ ଉଧାର ଟଙ୍କା ପରିଶୋଧ ପାଇଁ ନିଜ ଜମି ବନ୍ଧକ ରଖିଛନ୍ତି ହିତାଧିକାରୀ ।

ଆବାସ ଟଙ୍କା ଝାଡଖଣ୍ଡ ଚାଲିଯାଇଥିବା ଜାଣି ହିତାଧିକାରୀ ଟଙ୍କା ଫେରି ପାଇବା ପାଇଁ ବ୍ଳକ ପ୍ରଶାସନ ଓ  ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ଅଭିଯୋଗ କରିଥିଲେ । ହିତାଧିକାରୀଙ୍କ ଆଧାର କାର୍ଡ ଅନୁସାରେ ଟଙ୍କା ଟ୍ରାନ୍ସଫର ହେଉଥିବାରୁ ଏଥିରେ ବ୍ଲକ ପ୍ରଶାସନର ଭୁଲ ନ ଥିବା ପ୍ରକାଶ କରିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ । ପରୋକ୍ଷରେ ବ୍ଯାଙ୍କର କୌଣସି ତ୍ରୁଟି କାରଣରୁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ନଯାଇ ଝାଡଖଣ୍ଡ ଚାଲିଯାଇଥିବା ନେଇ କହିଛନ୍ତି । ଏଥିସହିତ ବ୍ଲକ ପ୍ରଶାସନ ତରଫରୁ ବ୍ୟାଙ୍କ କତ୍ତୃପକ୍ଷଙ୍କ ସହିତ  ଯୋଗାଯୋଗ କରି ଟଙ୍କା ଫେରାଇ ଆଣିବା ପାଇଁ ଉଦ୍ୟମ କରାଯାଇଥିବା ନେଇ ପ୍ରକାଶ କରିଛନ୍ତି ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ।

ଅପରପକ୍ଷରେ ଗରିବ ହିତାଧିକାରୀ ଯେପରି ସରକାରୀ ଟଙ୍କା ଠିକ ସେ ପାଇପାରିବେ ସେଥିପ୍ରତି ଜିଲ୍ଲା ପ୍ରଶାସନ ତାହା ଉପରେ ଗୁରୁତ୍ୱ ଦେବା ଉଚିତ୍ ବୋଲି ସାଧାରଣରେ କୁହାଯାଉଛି ।