ପଶ୍ଚିମବଙ୍ଗ ଆଳୁ ଓଡିଶା ଲୋକଙ୍କର ପସନ୍ଦ, ୟୁପି ଆଳୁକୁ କରୁନାହାନ୍ତି ପସନ୍ଦ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ସୁଧୁରୁନି ଆଳୁ ସମସ୍ୟା। ଆଳୁ ସମସ୍ୟା ପ୍ରସଙ୍ଗରେ କେନ୍ଦ୍ରର ହସ୍ତକ୍ଷେପ ନିହାତି ଦରକାର। ଓଡିଶା ସରକାର ତୁରନ୍ତ ଏ ସମସ୍ୟା ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରିବା ଦରକାର। ଓଡିଶା ସରକାରଙ୍କ ଏହା କର୍ତ୍ତବ୍ୟ ବୋଲି କହିଛି ଓଡିଶା ବ୍ୟବସାୟୀ ମହାସଂଘ। କେନ୍ଦ୍ର ସରକାର ଏ କଥା ଯଦି ଜାଣି ନାହାନ୍ତି ତାହେଲେ ଏହା ଓଡିଶା ସରକାରଙ୍କ ଅବହେଳା ବୋଲି ମହାସଂଘ କହିଛି । ପଶ୍ଚିମବଙ୍ଗ ଆଳୁ ଓଡିଶା ଲୋକଙ୍କର ପସନ୍ଦ। ୟୁପି ଆଳୁକୁ ଲୋକେ ପସନ୍ଦ କରୁନାହାନ୍ତି । କିନ୍ତୁ ପଶ୍ଚିମବଙ୍ଗରେ ସରକାରୀ ସ୍ତରରେ ଲାଞ୍ଚ ନେବା ଅଭ୍ୟାସ ହୋଇଯାଇଛି ।

ଖୋଲାଖୋଲି ଲାଞ୍ଚ ନେଉଛନ୍ତି ଓ ଏକ ଟୋକନ କରିଛନ୍ତି । ଯେଉଁଥିରେ ସେମାନେ ୩୦ ହଜାର ନେଉଛନ୍ତି । ଟୋକନ ନ କଲେ ୩୦ ହଜାରରୁ ଅଧିକ ଲାଞ୍ଚ ଦେବାକୁ ପଡୁଛି। ସେଠାରେ ଏକ ଇଲିଗାଲ ସିଣ୍ଡିକେଟ ଚାଲିଛି । ଏହାର ସମାଧାନ ନା ପଶ୍ଚିମବଙ୍ଗ ନା ଓଡିଶା ସରକାର କରୁଛନ୍ତି। ତେଣୁ ତ୍ରିଶଙ୍କୁ ସମସ୍ୟା ସୃଷ୍ଟି ହେଉଛି। ଭବିଷ୍ୟତ ପାଇଁ ଏହା ଏକ ଶୁଭ ସୂଚନା ନୁହେଁ ବୋଲି ମହାସଂଘ ଚେତେଇ ଦେଇଛି । ୟୁପି ଆଳୁର ଗ୍ରହଣୀୟତା ନାହିଁ। ମାର୍କେଟରେ ଡିମାଣ୍ଡ ରହୁନି। ଏହାର ଗ୍ରହଣୀୟତା ବଢାଇବା ପାଇଁ ଉଦ୍ୟମ ଚାଲିଛି। ଚାରି ପାଞ୍ଚଦିନ ଲାଗୁଛି ୟୁପିରୁ ଗାଡି ଆସିବା ପାଇଁ। ସେହି ଆଳୁ ଅଧିକ ଦିନ ରହିଲେ ପଚିଯାଉଛି। ଖାଉଟି ଗ୍ରହଣ କଲେ ଯାଇ ଏହି ଆଳୁ ଛୋଟ ବେପାରୀ ନେବେ।

ରାଜ୍ୟକୁ ୨୦ ରୁ ୨୫ ଆଳୁ ଗାଡି ଆଜି ୟୁପିରୁ ଓଡିଶାକୁ ଆସିଛି । ଲୋକଙ୍କ ଗ୍ରହଣୀୟତା ବଢିଲେ ଅଧିକ ୟୁପି ଗାଡି ଆସିବ। ଆଳୁ ସମସ୍ୟାର ସମାଧାନ ସରକାରଙ୍କ ମାନସିକତା ଉପରେ ନିର୍ଭର କରେ ବୋଲି କହିଛନ୍ତି ମହାସଂଘ ମହାସଚିବ ସୁଧାକର ପଣ୍ଡା। ୟୁପି ଆଳୁ କମ ଦରରେ ବିକ୍ରି ହେଉଥିଲେ ମଧ୍ୟ ଲୋକେ ଗ୍ରହଣ କରୁନାହାନ୍ତି। ସେପଟେ ପଶ୍ଚିମବଙ୍ଗ ଆଳୁ ସମସ୍ତଙ୍କ ପସନ୍ଦ ହୋଇଥିବାବେଳେ ଯୁପି ଆଳୁର ଲାଷ୍ଟିଂ କମ । ଏହି ଆଳୁ ଅଧିକ ଦିନ ଭଲ ରହୁନଥିବାରୁ ଯିଏ ନେଉଛନ୍ତି ସେମାନେ କ୍ଷତି ସହୁଛନ୍ତି । ହୋଟେଲରେ ୟୁପି ଆଳୁ ଚଳିଯାଉଛି ହେଲେ ଘରୋଇ ଲୋକେ ଅସୁବିଧାରେ ପଡୁଛନ୍ତି ।