ଗୋଟିଏ ବର୍ଷରେ ଓଡ଼ିଶା ଋଣ କରିବ ୪୩ ହଜାର ୪୯୫ କୋଟି

1 min read

ନନ୍ଦିଘୋଷ ବ୍ୟୁରୋ: ଗୋଟିଏ ବର୍ଷରେ ରାଜ୍ୟର ଋଣ ପରିମାଣ ୪୩ ହଜାର ୪୯୫ କୋଟି ଯାହା ସର୍ବକାଳୀନ ରେକର୍ଡ଼ । ମୋହନ ସରକାରଙ୍କ ପ୍ରଥମ ବଜେଟ୍ରେ ଋଣ ପରିମାଣକୁ ଦେଖି ଏପରି ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ । ଏତେ ପରିମାଣର ଋଣ କୌଣସି ଶିକ୍ଷା କିମ୍ବା ସ୍ବାସ୍ଥ୍ୟ ପାଇଁ ନୁହେଁ । ଅଭିଯୋଗ ହୋଇଛି ବିଜେପି ସରକାର କେବଳ ନିର୍ବାଚନ ପ୍ରତିଶ୍ରୁତି ପାଳନ ପାଇଁ ସମ୍ବଳ ଯୋଗାଡ଼ କରିବାକୁ ଯାଉଛନ୍ତି । ଏବେଠୁ ଏତେ ପରିମାଣର ଋଣଭାର ବଢିଲେ ଓଡ଼ିଶା ପୁଣି ଥରେ ୨ ହଜାର ମସିହା ସ୍ଥିତିକୁ ଫେରିଯିବ ବୋଲି ଆଶଙ୍କା ଉପୁଜିଛି ।

ଆଖି ତରାଟିଲେଣି ବିଶେଷଜ୍ଞ । ଗୋଟିଏ ବର୍ଷରେ ଓଡ଼ିଶା ଋଣ କରିବ ୪୩ ହଜାର ୪୯୫ କୋଟି ଟଙ୍କା । ଯାହାକି ରାଜ୍ୟ ସରକାରଙ୍କ ଇତିହାସରେ ସର୍ବକାଳୀନ ରେକର୍ଡ଼ । ମୋହନ ସରକାରଙ୍କ ପ୍ରଥମ ବଜେଟ୍ରେ ଋଣ ପରିମାଣକୁ ନେଇ ପ୍ରଶ୍ନ ଉଠିଛି । ୨୦୧୪ରେ ଏନ୍ଡିଏ ସରକାର ଆସିବା ପୂର୍ବରୁ ଦେଶର ଋଣଭାର ୫୪ ଲକ୍ଷ କୋଟି ଥିଲା । ଏବେ ଭାରତ ସରକାରଙ୍କ ଋଣ ପରିମାଣ ବି ପ୍ରାୟ ୨୦୦ ଲକ୍ଷ କୋଟିରେ ପହଞ୍ଚିଲାଣି । ଋଣ କରିବା ପାପ ନୁହଁ । ଋଣ ଅର୍ଥ ଉତ୍ପାଦିକା ବୃଦ୍ଧିରେ ଲାଗିବା ଦରକାର । ବିଜେପି ସରକାରର ପ୍ରଥମ ବଜେଟ୍ରେ ଶିକ୍ଷା ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ବିଶେଷ ବ୍ୟୟ ବରାଦ ହୋଇନି ।

କେନ୍ଦ୍ର ସରକାରଙ୍କୁ ଏକପ୍ରକାର ଅନୁକରଣ କରି ରାଜ୍ୟମାନେ ବି ଋଣ ବୋଝ ବଢାଇ ଚାଲିଛନ୍ତି । ଏହା ଆଦୌ ଭଲ ଲକ୍ଷଣ ନୁହଁ । ୨୦୨୨-୨୩ ଆର୍ଥିକ ବର୍ଷ ସୁଦ୍ଧା ତାମିଲନାଡ଼ୁ ସରକାର ୭ ଲକ୍ଷ ୫୩ ହଜାର ୮୬୦ କୋଟି ଋଣ କରିଥିବାବେଳେ ଉତ୍ତରପ୍ରଦେଶ ସରକାର ୭ ଲକ୍ଷ ୧୦ ହଜାର ୨୧୦ କୋଟି, ମହାରାଷ୍ଟ୍ର ସରକାର ୬ ଲକ୍ଷ ୮୦ ହଜାର ୩୫୭ କୋଟିର ଋଣ କରିଛନ୍ତି । ଓଡ଼ିଶା ଏ ଦୃଷ୍ଟିରୁ ଭଲ ସ୍ଥିତିରେ ଥିଲା । ପୂର୍ବ ସରକାର ସମୟରେ ରାଜ୍ୟର ଋଣଭାର ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଥିଲା । ଏବେ ନୂଆ ସରକାର ଯେପରି ଋଣ ଉପରେ ନିର୍ଭରତା ବଢାଇଛନ୍ତି, ଆଶଙ୍କା ହେଉଛି ଏ ରାଜ୍ୟର ଆର୍ଥିକ ସ୍ଥିତି ପୁଣି ଥରେ ୨୪ ବର୍ଷ ତଳକୁ ଫେରିଯିବ ।

ପୂର୍ବ ସରକାରଙ୍କ ଅନ୍ତରୀଣ ବଜେଟ୍ ତୁଳନାରେ ଏଥରକ ବଜେଟ୍ରେ ପୁଞ୍ଜିଗତ ବ୍ୟୟ ବରାଦ କମିଛି । ପୂର୍ବ ବଜେଟ୍ରେ ଏ ବାବଦ ବ୍ୟୟ ବରାଦ ଥିଲା ୬୩ ହଜାର ୧୬୨ କୋଟି । ଏବେ ହୋଇଛି ୫୮ ହଜାର ୧୯୫ କୋଟି । ସେହିପରି ବିତ୍ତୀୟ ନିଅଣ୍ଟ ୩ ପ୍ରତିଶତ ବଦଳରେ ୩.୫ ପ୍ରତିଶତ ଓ ରାଜସ୍ବ ବଳକା ୪ ପ୍ରତିଶତ ବଦଳରେ ଆକଳନ କରାଯାଇଛି ୨.୯୬ ପ୍ରତିଶତ । ପୁଞ୍ଜିଗତ ବ୍ୟୟ ବରାଦ ପାଇଁ ଋଣ କଲେ ଫାଇଦା ମିଳିବ । ଏଥରକ ବଜେଟ୍ରେ ସାମାଜିକ ସୁରକ୍ଷା ଯୋଜନାକୁ ଅଧିକ ଗୁରୁତ୍ବ ଦେଇଛନ୍ତି ସରକାର ।

ବଜେଟ ଆକାର ବଢିବା ସହିତ ଋଣ ପରିମାଣ ବି ବଢୁଛି । ଖଣି ରାଜସ୍ବ ଦେବାରେ ଦେଶରେ ରେକର୍ଡ଼ କରିଛି ଓଡ଼ିଶା । ଡବଲ ଇଞ୍ଜିନ ସରକାରରେ ଡବଲ୍ ଫାଇଦା ମିଳିବ ଲୋକେ ଆଶା ରଖିଛନ୍ତି । ହେଲେ ବିଜେପି ସରକାରଙ୍କ ପ୍ରଥମ ବଜେଟ୍ର ଷ୍ଟ୍ରାଟେଜି ଦେଖି ଏବେ ବୁଦ୍ଧିଜୀବୀ ମହଲ ସନ୍ଦିହାନ ହୋଇଛନ୍ତି ।