କ୍ରାଉଡଷ୍ଟ୍ରାଇକର ଆଉଟେଜ ପରେ ମାଇକ୍ରୋସଫ୍ଟରେ ଫେରୁଛି ସ୍ବାଭାବିକ ସ୍ଥିତି

ନନ୍ଦିଘୋଷ ବ୍ୟୁରୋ: ମାଇକ୍ରୋସଫ୍ଟ ସର୍ଭର ସମସ୍ୟା ଯୋଗୁ ସାରା ବିଶ୍ୱରେ ଜରୁରିକାଳୀନ ସେବା ଦୀର୍ଘ ସମୟ ଧରି ପ୍ରଭାବିତ ହୋଇଛି। ଏପରିକି ଏ ଯାଏ ମଧ୍ୟ ସମ୍ପୂର୍ଣ୍ଣ ସ୍ଥିତି ସ୍ୱାଭାବିକ ହୋଇ ନଥିବା କୁହାଯାଉଛି। କିନ୍ତୁ ମାଇକ୍ରୋସଫ୍ଟ ଇଞ୍ଜିନିୟରମାନେ ଲଗାତର ପରିଶ୍ରମ କରି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଛି। ସେପଟେ ସର୍ଭର ସମସ୍ୟା ଯୋଗୁ ବ୍ୟାଙ୍କିଙ୍ଗ କ୍ଷେତ୍ର ଠାରୁ ଆରମ୍ଭ କରି ବିମାନବନ୍ଦର, ଷ୍ଟକ ଏକ୍ସଚେଞ୍ଜ ଆଦିରେ ବ୍ୟାପକ ସମସ୍ୟା ହେବା ଯୋଗୁ ବିଭିନ୍ନ ବର୍ଗର ଲୋକେ ସମସ୍ୟା ଭୋଗୁଛନ୍ତି। ତେଣୁ ପ୍ରକୃତରେ ଏସବୁ ବିଷୟରେ ଜାଣିବାକୁ ଲୋକେ ଚାହିଁବା ସହ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ପାଇଁ ଅପେକ୍ଷା କରିଛନ୍ତି।

ମାଇକ୍ରୋସଫ୍ଟ ସର୍ଭର । ସମସ୍ୟା ସୃଷ୍ଟି ପରେ ଛିଡା କରିଛି ଅସୁମାରୀ ପ୍ରଶ୍ନ । କ’ଣ ଏହି ମାଇକ୍ରୋସଫ୍ଟ ? କେମିତି କାର୍ଯ୍ୟ କରେ ଏହାର ସର୍ଭର । କାମ ନକଲେ କିଭଳି ଠପ ହୋଇ ଯାଉଛି ବିଶ୍ବର ପ୍ରମୁଖ ସେବା ? ଗତକାଲି ଦେଖା ଦେଇଥିବା ମାଇକ୍ରୋସଫ୍ଟ ସର୍ଭର ପ୍ରୋବ୍ଲେମ ପରେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରିଛି । ଏସବୁକୁ ନେଇ ଆଇଟି ଏକ୍ସପର୍ଟ ମାନେ ସବିଶେଷ ସୂଚନା ଦେଇଛନ୍ତି । ସର୍ଭର ଏକ ସୁପର କମ୍ପ୍ୟୁଟର ଭଳି ଯେଉଁଥିରେ ବିଲିୟନ ଟ୍ରିଲିଆନ ଡାଟା ରହିଥାଏ । ସର୍ଭର ଯେଉଁଠି ଥାଏ ତାକୁ ଡାଟା ସେଣ୍ଟର ବୋଲି କୁହାଯାଏ । ଏହି ସ୍ଥାନରେ କେବେ ବିଦ୍ୟୁତ କିମ୍ବା ଇଣ୍ଟରନେଟ ଯାଏ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସମୁଦ୍ର ତଳେ ସ୍ୱତନ୍ତ୍ର କଣ୍ଟେନରଗୁଡିକରେ ଏହା ରହୁଛି। ତିନୋଟି ସଂସ୍ଥା କ୍ଲାଉଡ ସର୍ଭିସ ଦେଉଛନ୍ତି। ଆମାଜନ ୱେବ ସର୍ଭିସେସ, ମାଇକ୍ରୋସଫ୍ଟ ଆଜିୟୋରେ, ଗୁଗୁଲ କ୍ଳାଉଡ ସର୍ଭିସେସ ଏହି ସେବା ଦେଉଛନ୍ତି। ଏହି ବ୍ୟବସ୍ଥା ଦ୍ୱାରା ପ୍ରମୁଖ ସେବା ଦିଆଯାଉଛି। ବିଶେଷ କରି ସର୍ଭରରେ ବଗ ହେଲେ କିମ୍ବା ଅଧିକ ୟୁଜର ହେଲେ ଏହା ଡାଉନ ହୁଏ। କ୍ଲାଉଡ ପ୍ରୋଭାଇଡର ମାନଙ୍କର ବିଭିନ୍ନ ରିଜିଅନ ଥାଏ । ସର୍ଭର ଡାଉନ ଅଲଗା ରିଜିଅନକୁ ଟ୍ରାନସ୍ଫର କରିବା କଥା। ଏସବୁ ଉଦ୍ୟମ ମାଇକ୍ରୋସଫ୍ଟ କରିଛି କିନ୍ତୁ ସମ୍ପୂର୍ଣ୍ଣ ସମାଧାନ ପାଇଁ ସମୟ ଲାଗୁଥିବା ଆଇଟି ଏକ୍ସପର୍ଟ ଚନ୍ଦ୍ରଶେଖର ବିଶ୍ୱାଳ କହିଛନ୍ତି। ଗତକାଲି ମାଇକ୍ରୋସଫ୍ଟ ସର୍ଭର ଡାଉନ ପରେ ବ୍ୟାଙ୍କିଙ୍ଗ କ୍ଷେତ୍ର ଠାରୁ ଆରମ୍ଭ କରି ବିମାନବନ୍ଦର, ଷ୍ଟକ ଏକ୍ସଚେଞ୍ଜ ଆଦିରେ ବ୍ୟାପକ ସମସ୍ୟା ଦେଖିବାକୁ ମିଳିଥିଲା ।

ଯେଉଁ କ୍ରାଉଡଷ୍ଟ୍ରାଇକ ସମସ୍ୟା ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ତାହା ଏକ ଥାର୍ଡ ପାର୍ଟି ଆପ୍ଲିକେସନ ବୋଲି କହିଛନ୍ତି କିଛି ବିଶେଷଜ୍ଞ । ଯେଉଁ ସିଷ୍ଟମରେ ଏହି ସମସ୍ୟା ହୋଇଛି ତାକୁ ସମାଧାନ କରାଯାଇପାରୁଛି। କିନ୍ତୁ ସାରା ବିଶ୍ୱରେ ଏଭଳି ବଡ଼ ଧରଣର ସମସ୍ୟା ହୋଇଥିବାରୁ ଏହାର ସମାଧାନ ପାଇଁ ବିଳମ୍ବ ହେଉଛି। ମୋବାଇଲ ଫୋନ କିମ୍ବା ଲାପଟପରେ ବିଭିନ୍ନ ସମୟରେ ଅପଡେଟ ଆସେ ଓ ଏହାକୁ ଅପଡେଟ କରାଯାଏ। ଯେଉଁମାନେ ଏହି ଅପଡେଟକୁ ଇନଷ୍ଟଲ କରିଛନ୍ତି ସେମାନଙ୍କର ସମସ୍ୟା ହୋଇଛି। ମାଇକ୍ରୋସଫ୍ଟ ଅପଡେଟକୁ ଭାଲିଡେଟ କରି ଲୋକଙ୍କୁ ଦେବାର ଥିଲା। କ୍ରାଉଡଷ୍ଟ୍ରାଇକ ଟିମ ନୋଟିଫିକେସନ ଦେଇଛନ୍ତି ଓ ମାଇକ୍ରୋସଫ୍ଟ ଟିମ ସମ୍ପୂର୍ଣ୍ଣ ସମାଧାନ ଦିଗ ଉପରେ କାମ କରୁଛନ୍ତି ବୋଲି କହିଛନ୍ତି ଆଇଟି ବିଶେଷଜ୍ଞ ଦୀପକ ନାଥ। ମାଇକ୍ରୋସଫ୍ଟ ବହୁଳ ଭାବେ ବ୍ୟବହାର ହେଉଥିବାବେଳେ ପ୍ରମୁଖ ସେବା ଏହି ମାଧ୍ୟମରେ ହେଉଛି। ତେଣୁ ଖୁବ ଶୀଘ୍ର ସବୁକିଛି ସ୍ୱାଭାବିକ ହେବ ବୋଲି କୁହାଯାଇଛି।