ଓଡ଼ିଶାବାସୀ ଦେଇଥିବା ଦାୟିତ୍ବକୁ ତୁଲାଇବ ବିଜେଡି

ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ଲୋକଙ୍କ ସ୍ବର ସାଜିବ ବିଜେଡି । ଓଡ଼ିଶାବାସୀ ବିରୋଧୀ ଦଳ ଭାବେ ବିଜେଡିକୁ ଯେଉଁ ଦାୟିତ୍ବ ଦେଇଛନ୍ତି ତାହାକୁ ସୁଚାରୁରୂପେ ପାଳନ କରିବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ବସିଥିବା ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୋମବାରଠୁ ଆରମ୍ଭ ହେଉଥିବା ବିଧାନସଭାର ଅଧିବେଶନରେ ଦଳର ଆଭିମୁଖ୍ଯ ନେଇ ୫୧ ବିଧାୟକଙ୍କ ସହ ନବୀନ ଆଲୋଚନା କରିଛନ୍ତି । ପ୍ରତି ବିଧାୟକଙ୍କ ଯେଉଁ ବିଭାଗର ଦାୟିତ୍ବ ପ୍ରଦାନ କରାଯାଇଛି ସେନେଇ ବୈଠକରେ ଆଲୋଚନା କରାଯାଇଛି । ସାଢେ ଚାରିକୋଟି ଓଡ଼ିଆଙ୍କ ସ୍ବାର୍ଥ ପାଇଁ ବିଧାନସଭାରେ ସ୍ବର ଉଠାଇବାକୁ ନବୀନ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ବୈଠକ ପରେ ବିରୋଧୀ ଦଳ ମୁଖ୍ଯସଚେତକ ପ୍ରମିଳା ମଲ୍ଲିକ, ଉପମୁଖ୍ଯ ସଚେତକ ପ୍ରତାପ ଦେବ ଗଣମାଧ୍ଯମକୁ ସୂଚନା ଦେଇ କହିଛନ୍ତି, ବିଧାନସଭାରେ ବିଜେଡି ସକ୍ତ ବିରୋଧୀ ଦଳ ଭାବେ ଦାୟିତ୍ବ ତୁଲାଇବ । ପ୍ରସଙ୍ଗ ଭିତ୍ତିକ ଯୁକ୍ତି ଉପସ୍ଥାପନ କରିବ । ସରକାର ଯେଉଁ ପ୍ରତିଶୃତି ଦେଇଛନ୍ତି ତାହା କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ଉପରେ ନଜର ରଖି ଲୋକଙ୍କ ସ୍ବାର୍ଥ ପାଇଁ ସ୍ବର ଉଠାଇବ । ରାଜ୍ଯବାସୀ ବିଜେଡିର ୫୧ଜଣଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଛନ୍ତି । ଭୋଟ ପ୍ରତିଶତକୁ ଦେଖିଲେ ଶାସକ ଦଳ ଅପେକ୍ଷା ବିଜେଡିକୁ ଅଧିକ ଭୋଟ ମିଳିଛି ।  ଲୋକଙ୍କ ପାଇଁ ବିଜେଡି ସବୁବେଳେ ଠିଆ ହୋଇଥିବାବେଳେ ଆଗକୁ ମଧ୍ଯ ଲଢେଇ କରିବ ।