କୁସୁମାରେ ହୋଇଥିବା ବିକାଶମୂଳକ କାର୍ଯ୍ୟରେ ଅସହିଷ୍ଣୁ କୁଚକ୍ରୀ ଗୋଷ୍ଠୀ, ନିନ୍ଦା କଲା ଯାଜପୁର ନାଗରିକ ସଂଘ ପକ୍ଷ

ନନ୍ଦିଘୋଷ ବ୍ୟୁରୋ: କୁସୁମାରେ ହୋଇଥିବା ବିକାଶମୂଳକ କାର୍ଯ୍ୟରେ ଅସହିଷ୍ଣୁ ହୋଇ ଏକ କୁଚକ୍ରୀ ଗୋଷ୍ଠୀ ଗତ କିଛିଦିନ ଧରି ଯାଜପୁରକୁ ବଦନାମ କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି । କୁସୁମା ପରିସରରେ ହୋଇଥିବା ବିକାଶ ମୂଳକ ପ୍ରକଳ୍ପ ବିଶେଷ କରି କଟେଜକୁ ଆଳ କରି ମନଇଚ୍ଛା ଖବର ବିଭିନ୍ନ ଗଣମାଧ୍ୟମ ପରିବେଷଣ ନାଁରେ ଅରୁଚିକର ମନ୍ତବ୍ୟ  ଦେଉଛନ୍ତି । ସଂପୃକ୍ତ କଟେଜକୁ ଏକ ରଂଗଶାଳା ବୋଲି ମଧ୍ୟ କହିବାକୁ ପଛାଉନାହାନ୍ତି । ଏହା କୁସୁମା ତଥା ଯାଜପୁର ମାଟିର ବଦନାମ । କୁସୁମା ପ୍ରକଳ୍ପ ପାଇଁ ଯାଜପୁର ପୌରପାଳିକା ଜମି ଦାନ କରିଛି ଏବଂ ସିଏସଆର ପଂଣ୍ଡରେ ଏହା ନିର୍ମାଣ ହୋଇଛି ବୋଲି ଜିଲ୍ଲାପ୍ରଶାସନ ସ୍ପଷ୍ଟ କରିବା ପରେ ବି ବଦନାମ କରାଯାଉଛି । ଅଯଥା  ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନାଁକୁ ମଧ୍ୟ ଏଥିସହିତ ଯୋଡାଯାଉଛି ବୋଲି ଯାଜପୁର ନାଗରିକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଆଜି ଅପରାହ୍ନରେ ଶାନ୍ତି ମଣ୍ଡପରେ ସିଭିଲ ସୋସାଇଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଆଇନଜୀବୀ ରାଜୀବ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ।