ନୀଳଗିରି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପଛର ରୋଚକ କାହାଣୀ

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରିରେ ରହିଛି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରାଚୀନ ମନ୍ଦିର । ନୀଳଗିରିର ତତ୍କାଳୀନ ରାଜା ନାରାୟଣ ବସନ୍ତ ବିରାଟ ଭୂଜଙ୍ଗ ମାନଧାତାଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିଲା ମନ୍ଦିର । ୧୫୨୫ ମସିହାରେ ପ୍ରତିଷ୍ଠା ହୋଇଥିଲା ଏହି ମନ୍ଦିର । ତେବେ ମନ୍ଦିର ପ୍ରତିଷ୍ଠା ପଛରେ ରହିଛି ଏକ ରୋଚକ କାହାଣୀ । କେମିତି ପ୍ରତିଷ୍ଠା ହୋଇଥିଲା ନୀଳଗିରି ଜଗନ୍ନାଥ ମନ୍ଦିର ? କ’ଣ ରହିଛି ଏହି ମନ୍ଦିର ପ୍ରତିଷ୍ଠା ପଛର କାହାଣୀ, ଆସନ୍ତୁ ଜାଣିବା ।

କେବଳ ଶ୍ରୀକ୍ଷେତ୍ର ପୁରୀ ନୁହେଁ, ବିଭିନ୍ନ ସ୍ଥାନରେ ରହଛି ଜଗନ୍ନାଥ ମନ୍ଦିର । ବାଲେଶ୍ୱର ନୀଳଗିରିର ପ୍ରାଚୀନ ଜଗନ୍ନାଥ ମନ୍ଦିର ଅଞ୍ଚଳରେ ଜଗନ୍ନାଥ ସଂସ୍କୃତିର ମୁଖ ସାକ୍ଷୀ ପାଲଟିଛି । ନୀଳଗିରିର ତତ୍କାଳୀନ ରାଜା ନାରାୟଣ ବସନ୍ତ ବିରାଟ ଭୂଜଙ୍ଗ ମାନଧାତାଙ୍କ ଦ୍ବାରା ପ୍ରତିଷ୍ଠିତ ଦଧିବାମନ ଜିୟୁଙ୍କ ନାମରେ ମହାପ୍ରଭୁ ପୂଜା ପାଉଛନ୍ତି । ୧୫୨୫ ମସିହାରେ ନାରାୟଣ ବସନ୍ତ ବିରାଟ ଭୂଜଙ୍ଗ ମାନଧାତା ରାଜା ଥିଲେ। ସେ ଥିଲେ ପୁରୀ ଗଜପତିଙ୍କ ସେନାପତି । ପୁରୀ ଗଜପତି ଖୁସି ହୋଇ ସେତେବେଳେ ତାଙ୍କ ଭଉଣୀ କଲରା ଦେବୀଙ୍କୁ ତାଙ୍କ ସହ ବିବାହ କରାଇଥିଲେ । କଲରା ଦେବୀ ବିବାହ କରି ଆସିବା ପରେ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଇଚ୍ଛା କରିଥଲେ । ଭଉଣୀ ପାଇଁ ସେତେବେଳେ ନୀଳଗିରି ସ୍ଥିତ ଗରଡିହି ଗାଁରେ ଜଗନ୍ନାଥ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହୋଇଥିଲା । ପରେ ୧୭୫୦ ମସିହାରେ ତତ୍କାଳୀନ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନଙ୍କ ଦ୍ବାରା ନୀଳଗିରିର ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠିତ ହୋଇଥିଲା ।

ପୁରୀ ପରି ଏଠାରେ ବି ମହାପ୍ରଭୁଙ୍କ ରଥଯାତ୍ରା ପ୍ରତିବର୍ଷ ବେଶ ଆଡମ୍ବର ସହକାରେ ହୋଇଥାଏ । ଏହି ରଥଯାତ୍ରା ବାଲେଶ୍ୱର ଜିଲ୍ଲାର ସବୁଠାରୁ ବଡ଼ଯାତ୍ରା ଭାବେ ପରିଚିତ । ଏଠାରେ ରଥ ୫୦ ଫୁଟ ଉଚ୍ଚ ଓ ୪୨ ଫୁଟ ଚଉଡାର ହୋଇଥାଏ । ଏଥିରେ ୧୪ଟି ଚକ ଲାଗିଥାଏ । ଏଠାରେ ପୁରୀ ଜଗନ୍ନାଥ ମନ୍ଦିରର ପରମ୍ପରା ଅନୁସାରେ ରୀତିନୀତି ହୋଇଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ପାଇଁ ଦୂର ଦୁରାନ୍ତରୁ ଛୁଟି ଆସିଥାନ୍ତି ଭକ୍ତ । ଯାହା ମାନସିକ କରିଥାନ୍ତି ତାହା ମଧ୍ୟ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ଭକ୍ତମାନେ ନୀଳଗିରି ଜଗନ୍ନାଥ ମନ୍ଦିର ଦର୍ଶନ କରିବା ପରେ ସେତେ ବେଳର ରାଜବାଟି, ତତ୍ ସହ ରାଜାଙ୍କ ଇଷ୍ଟଦେବୀ ବୁଦାରଚଣ୍ଡୀ, ଇଷ୍ଟ ଦେବତା ରାଧାକିଶୋର, କୁଳଦେବୀ କନକଦୂର୍ଗା, ପଞ୍ଚଲିଙ୍ଗେଶ୍ଵର ମହାଦେବଙ୍କୁ ମଧ୍ଯ ଦର୍ଶନ କରନ୍ତି ।