ମାତିଛନ୍ତି ଲୁଟେରା, ଲୋକଙ୍କ ମଧ୍ୟରେ କୋକୁଆ ଭୟ

ଗଜପତି: ଚୋରି, ଲୁଟପାଟକୁ ନେଇ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ । ଦିନ ଦ୍ଵିପ୍ରହରରେ ମାରଣାସ୍ତ୍ର ଦେଖାଇ ଲୁଟୁଛନ୍ତି ଲୁଟେରା । ପାରଳାଖେମୁଣ୍ଡି ସମେତ ଗୁରାଣ୍ଡି ଓ କାଶୀନଗର ଥାନା ଅଞ୍ଚଳରେ ଲୁଟେରାଙ୍କ ରାଜ ।  ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି ।

ଦିନକୁ ଦିନ ପାରଳାଖେମୁଣ୍ଡି ଅଞ୍ଚଳରେ ବଢ଼ି ଚାଲିଛି ଲୁଟେରାଙ୍କ ଦୌରାତ୍ମ୍ୟ । ପାରଳାଖେମୁଣ୍ଡି ସମେତ ଗୁରାଣ୍ଡି ଓ କାଶୀନଗର ଥାନା ଅଞ୍ଚଳରୁ ଗତ କିଛିଦିନ ମଧ୍ୟରେ ୬ରୁ ଅଧିକ ବଡ଼ ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି । ପୋଲିସର ନାକ ତଳେ ଦିନ ଦ୍ବିପହରରେ ଘରେ ପଶି ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ସହ ସୁନା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ପାରଳାଖେମୁଣ୍ଡି ଗୁରାଣ୍ଡି ଥାନା ଅନ୍ତର୍ଗତ ଜଙ୍ଗଲପାଡୁ ଗାଁର କଲ୍ୟାଣୀ ସାମଲଙ୍କ ଘରୁ ଏପ୍ରିଲ ୧୯ ତାରିଖର ରାତିରେ ୧୦ ତୋଳା ସୁନା ଚୋରି ହୋଇଥିଲା । ଏପ୍ରିଲ ୩୦ ତାରିଖରେ ମଧୁସୂଦନପୁର ଗାଁର ଏକ ମହିଳାଙ୍କ ବେକରୁ ସୁନା ଚେନ ଟାଣି ଫେରାର ହେଇଯାଇଥିଲେ ଦୁଇ ଦୁର୍ବୃତ୍ତ । ଏପ୍ରିଲ ୧୦ ତାରିଖରେ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଓମ୍ ଶାନ୍ତି କଲୋନୀର ମିତା ପରିଡ଼ାଙ୍କ ଘରୁ ତାଲା ଭାଙ୍ଗି ୬ ତୋଳା ସୁନା ଚୋରି କରି ନେଇଥିଲେ ଦୁର୍ବୃତ୍ତ । ସେହିପରି ମେ’ ୩୦ ତାରିଖର ଦିନ ଦ୍ବିପହରରେ ମକାତୋଟାମା ମନ୍ଦିର ନିକଟ ବିଶ୍ବନାଥ ନଗରର ସସ୍ମିତ ପଟ୍ଟନାୟକଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ ନଗଦ ୪ ଲକ୍ଷ ସହ ୪ ତୋଳାରୁ ଅଧିକ ସୁନା ଲୁଟି ନେଲେ ଦୁର୍ବୃତ୍ତ । ଏତେ ସବୁ ଚୋରି ହେଉଥିଲେ ବି ପୋଲିସର ହାତ ଖାଲି । ଚୋରକୁ ଧରିବାରେ ବିଫଳ ହୋଇଛି ପୋଲିସ । ଫଳରେ ଚୋରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି । ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଲୋକେ ।

ପୋଲିସ ଚୋରକୁ ଧରିବାକୁ ସେଭଳି ଠୋସ କୌଶଳ ଆପଣେଇ ନଥିବା ବେଳେ, ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଉପରେ ହିଁ ଏକମାତ୍ର ଭରସା ରଖି ତଦନ୍ତ ଗଡ଼ାଇ ଚାଲିଛି ପୋଲିସ ।