ବିଶ୍ୱ ପାଳୁଛି ଯୋଗ ଦିବସ, ଏଥରର ଥିମ୍ ‘ନିଜ ଓ ସମାଜ ପାଇଁ ଯୋଗ’

ଭୁବନେଶ୍ୱର : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଦେଶ ବିଦେଶରେ ପାଳିତ ହେଉଛି ଯୋଗ ଦିବସ । ୨୦୧୫ ମସିହାଠାରୁ ଆରମ୍ଭ ହୋଇଥିବା ଯୋଗ ଦିବସ ବର୍ତ୍ତମାନ ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ଆଦୃତ ହୋଇଛି । ଏହି ଦିବସକୁ ଜାତିସଂଘ ବି ସ୍ବୀକୃତି ଦେବା ପରେ ବିଶ୍ବରେ ଏହା ଆଦୃତି ଲାଭ କରିଛି । ଯୋଗ ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ୱର କୋଣ ଅନୁକୋଣେ ଯୋଗକୁ ପହଞ୍ଚାଇବା ପାଇଁ ଭାରତ ପ୍ରସ୍ତାବ ଦେଇଥିଲା ଯାହାକୁ ଜାତିସଂଘ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା ।

ଯୋଗ, ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ପ୍ରାୟ ୬୦୦୦ ବର୍ଷ ପୂର୍ବେ ଏହାର ଉତ୍ପତ୍ତି ଭାରତରେ ହୋଇଥିଲା । ଯୋଗ ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର । ଜୁନ ୨୧ ଗ୍ରୀଷ୍ଣ ସଂକ୍ରାନ୍ତିରେ ସୂର୍ଯ୍ୟ ଦକ୍ଷିଣାୟନ ମୋଡ଼ ନେଇଥାନ୍ତି ଏବଂ ଜୁନ ୨୧ ସବୁଠାରୁ ବଡ଼ ଦିନ ହୋଇଥିବାରୁ ଏହି ଦିବସକୁ ଯୋଗ ଦିବସ ଭାବେ ନିର୍ଣ୍ଣୟ କରାଯାଇଥିଲା । ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟଦ୍ୱାରା ଅୟୋଜିତ ଏକ କାର୍ଯ୍ୟକ୍ରମରେ ରାଜଧାନୀ ଦିଲ୍ଲୀର ରାଜପଥଠାରେ ୮୪ ଦେଶର ୩୫,୯୮୫ ଜଣ ଅଂଶଗ୍ରହଣକାରୀ ଭାଗନେଇ ଦୁଇଟି ଗିନିସ ବର୍ଲ୍ଡ ରେକର୍ଡ ସ୍ଥାପନ କରିଥିଲେ । ବିଶ୍ବର ସମସ୍ତ ପ୍ରମୁଖ ସହରରେ ବି ଯୋଗ ଦିବସ ପାଳନ କରାଯାଉଛି ।