ଧାନର ଏମଏସପି ୩୧ ଶହ କରିବାକୁ ଶହେ ଦିନ ସମୟ ନେଇଛନ୍ତି ଓଡ଼ିଶା ସରକାର

ଭୁବନେଶ୍ବର: କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କାକୁ ବୃଦ୍ଧି କରିବା ପରେ ଓଡ଼ିଶାରେ ଚାଷୀଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା । ରାଜ୍ୟ ବିଜେପି ଏମଏସପି ୩୧୦୦ ଟଙ୍କା କରିବା ପାଇଁ ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲା । ହେଲେ କେନ୍ଦ୍ର ସରକାର ଏମଏସପିକୁ ୨୩ ଟଙ୍କା କରିଛନ୍ତି । ଅର୍ଥାତ ରାଜ୍ୟ ବିଜେପି ସରକାରକୁ ପ୍ରତିଶ୍ରୁତି ମୁତାବକ ଆହୁରି ୮ ଶହ ଟଙ୍କା ବୃଦ୍ଧି କରିବାକୁ ପଡିବ । ତେବେ ଏହାକୁ ଲାଗୁ କରିବାକୁ ରାଜ୍ୟ ସରକାର ୧୦୦ ଦିନ ସମୟ ନେଇଥିବା କୁହାଯାଉଛି । ସେପଟେ ଆଗାମୀ ବଜେଟରେ ନୂଆ ସରକାର କୃଷିକୁ ଅଧିକ ଗୁରୁତ୍ବ ଦେବେ ବୋଲି ଜଣାପଡିଛି ।

ମଣ୍ଡିରେ ଧାନ ନେବା ପ୍ରକ୍ରିୟା ସରିବାକୁ ଆଉ ଅଳ୍ପ ଦିନ ବାକି ଅଛି । ତେଣୁ ପ୍ରକୃତ ଏମଏସପି କେବେ ମିଳିବ ତାହାକୁ ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ । ଓଡ଼ିଶାରେ ନୂଆ ସରକାର ଚାଷୀଙ୍କୁ ଗୁରୁତ୍ୱ ଦେଉଥିବାବେଳେ ଚାଷୀମାନେ କିନ୍ତୁ ଅଧିକ ଅମଳକ୍ଷମ ଉନ୍ନତମାନର ଧାନ ବିହନ କିଣୁ ନଥିବା ଦେଖିବାକୁ ମିଳିଛି । ଧାନ ବିହନର କମ ବିକ୍ରି ପଛରେ ସରକାରଙ୍କର ବିଭିନ୍ନ ଯୋଜନାକୁ ଦାୟୀ କରାଯାଉଛି । ଓଡ଼ିଶାର ଆର୍ଥିକ ସ୍ଥିତି ଭଲ ଥିବାବେଳେ ଆୟର ଉତ୍ସ ମଧ୍ୟ ରହିଛି । ତେଣୁ ସରକାର ଚାହିଁଲେ ଚାଷୀଙ୍କ ସ୍ବାର୍ଥ ରକ୍ଷା ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।

ସେପଟେ ଆଗାମୀ ବଜେଟରେ ନୂଆ ସରକାର କୃଷିକୁ ଅଧିକ ଗୁରୁତ୍ବ ଦେବାକୁ ଯାଉଛନ୍ତି । ଏଥିଲାଗ ମତାମତ ଆହ୍ବାନ କରାଯାଇଛି । କୃଷି ବିଶେଷଜ୍ଞମାନେ କୃଷି କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି । ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ କୃଷକ ସମୃଦ୍ଧ ହେଲେ ଅର୍ଥନୀତି ଚଳଚଞ୍ଚଳ ହେବ । ଆବଶ୍ୟକ ଶୀତଳ ଭଣ୍ଡାର, ପ୍ରୋସେସିଂ ୟୁନିଟ ତଥା ଚାଷ ସାମଗ୍ରୀରୁ ବିଭିନ୍ନ ଦ୍ରବ୍ୟ ପ୍ରସ୍ତୁତି ପାଇଁ ଶିଳ୍ପ ପ୍ରତିଷ୍ଠା ହେବା ଦରକାର । ରାଜ୍ୟରେ ଭାଗ ଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସୁବିଧା ପ୍ରଦାନ କରିବା ଆବଶ୍ୟକ । ବଜେଟରେ ଆର୍ଥିକ ବ୍ୟୟ ବରାଦ ହେବା ଦରକାର ବୋଲି ମତ ଦେଇଛନ୍ତି କୃଷି ବିଶେଷଜ୍ଞ । ଏସବୁ ପ୍ରତିଶ୍ରୁତି ଦେଇ ବିଜେପି ସରକାରକୁ ଆସିଥିବାରୁ ଏହା ପୂରଣ ପାଇଁ ଉଦ୍ୟମ କରିବ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି ।

କୃଷି ଓ କୃଷକ ସମସ୍ୟାକୁ ନେଇ ରାଜ୍ୟରେ ପୂର୍ବରୁ ବିରୋଧୀ ଓ ଶାସକ ବାରମ୍ବାର ମୁହାଁମୁହିଁ ହେଉଥିଲେ । ଏବେ ସେସବୁ ପୂରଣ କରିବା ଦିଗରେ ବିଜେପି କେତେ ସମର୍ଥ ହେଉଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।