ଆଜିଠୁ ଆରମ୍ଭ ହେବ ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି ପର୍ବ

ପୁରୀ: ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜିଠୁ ଆରମ୍ଭ ହେବ ଦେବସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି ପର୍ବ । ମହାପ୍ରଭୁଙ୍କ ଗୁପ୍ତ ସେବା କରିବା ପାଇଁ ଆଜି ତ୍ରୟୋଦଶୀ ତିଥିରେ ଦଇତାମାନେ ମନ୍ଦିର ପ୍ରବେଶ କରିଛନ୍ତି । ଶ୍ରୀଜିଉଙ୍କ ଶ୍ରୀଅଙ୍ଗରକ୍ଷକ ଭାବେ ପରିଚିତ ଦଇତାପତି ସେବକମାନେ ସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ନବଯୌବନ ଦର୍ଶନ, ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡା ଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେର ସମସ୍ତ ନୀତି ନିର୍ବାହ କରିବାର ପ୍ରଥା ରହିଛି । ଦଇତା ପ୍ରବେଶ ପରେ ଶ୍ରୀଜିଉଙ୍କ ବଡସିଂହାର ଭୋଗ, ପହୁଡ ଆଳତି ହେବ ।  ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖକୁ ଶ୍ରୀମୁଖ ଖଣ୍ଡୁଆରେ ଢାଙ୍କି ସବୁ ନୀତି କରାଯିବ । ବଡସିଂହାର ପରେ ଦଇତା ସେବକମାନେ ପ୍ରଭୁଙ୍କ ବାହୁଟକଣ୍ଟ ନୀତି ସଂପାଦନ କରିବେ । ପରେ କୋଠ ସୁଆସିଆଁ ସେବକମାନେ ରତ୍ନ ସିଂହାସନରେ ଚାର ବାନ୍ଧିବାକୁ ଗର୍ଭଗୃହକୁ ପ୍ରବେଶ କରିବେ । ଚାର ବନ୍ଧାଯିବା ପରେ ଦଇତାପତିମାନେ ପ୍ରଭୁଙ୍କ ସେନାପଟା ବାନ୍ଧିବା ନୀତି ସଂପନ୍ନ କରିବେ ।

ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦେବ ସ୍ନାନ ଯାତ୍ରା ପରେ ଦଇତାପତି ସେବାୟତମାନେ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା କରିବେ । ନବଯୌବନ ଦର୍ଶନ ପରେ ଦଇତା ସେବକମାନେ ରଥଯାତ୍ରାରେ ମହାପ୍ରଭୁଙ୍କୁ ରଥ ଉପରକୁ ପହଣ୍ଡି ବିଜେ କରାଇବାର ବିଧି ରହିଛି।