ରାଜନୀତିରେ ବଢୁଛି ଧନୀଙ୍କ ପ୍ରାଧାନ୍ୟ

ଭୁବନେଶ୍ବର: ଭୋଟ ରାଜନୀତିରେ ବଢୁଛି ଧନୀଙ୍କ ପ୍ରାଧାନ୍ଯ । ଅଧିକରୁ ଅଧିକ ବିଜୟୀ ହେଉଛନ୍ତି ଧନୀ ପ୍ରାର୍ଥୀ । ୨୦୨୪ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ମଧ୍ଯରୁ ୯୩ ପ୍ରତିଶତ ହେଉଛନ୍ତି କୋଟିପତି । ୨୦୧୯ରେ ସେମାନଙ୍କ ସଂଖ୍ୟା ଥିଲା ୮୮ ପ୍ରତିଶତ । ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମସ ବା ଏଡିଆର ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି ।

ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ମଧ୍ଯରୁ ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ଟିଡିପିର ଚନ୍ଦ୍ର ଶେଖର ପେମାସାନି । ଗୁଣ୍ଟୁର ଆସନରୁ ବିଜୟୀ ହୋଇଥିବା ନେତାଙ୍କ ସମ୍ପତ୍ତିର ମୂଲ୍ଯ ୫ ହଜାର ୭୦୫ କୋଟି ଟଙ୍କା । ଦ୍ବିତୀୟରେ ରହିଛନ୍ତି ତେଲଙ୍ଗାନା ଚେଭେଲ୍ଲା ନିର୍ବାଚନ ମଣ୍ଡଳୀର ବିଜେପି ସାଂସଦ କୋଣ୍ଡା ବିଶ୍ବେଶ୍ବର ରେଡ୍ଡୀ । ତାଙ୍କ ସମ୍ପତ୍ତି ମୂଲ୍ଯ ରହିଛି ୪ ହଜାର ୫୬୮ କୋଟି । ତୃତୀୟରେ ରହିଛନ୍ତି ହରିଆଣା କୁରୁକ୍ଷେତ୍ରର ବିଜେପି ପ୍ରାର୍ଥୀ ନବୀନ ଜିନ୍ଦଲ । ତାଙ୍କର ସମ୍ପତ୍ତିର ମୂଲ୍ଯ ୧୨୪୧ କୋଟି ଟଙ୍କା । ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ମଧ୍ଯରୁ ୫୪୩ ଜଣ ହେଉଛନ୍ତି କୋଟିପତି । ୨୦୧୯ରେ ୪୭୫ ପ୍ରାର୍ଥୀ ଅର୍ଥାତ ୮୮ ପ୍ରତିଶତ ପ୍ରାର୍ଥୀ ଥିଲେ କୋଟିପତି । ୨୦୧୪ରେ ସେମାନଙ୍କ ସଂଖ୍ଯା ଥିଲା ୪୪୩ ଅର୍ଥାତ ୮୨ ପ୍ରତିଶତ । ୨୦୦୯ରେ ସେମାନଙ୍କ ସଂଖ୍ୟା ଥିଲା ୩୧୫ ଅର୍ଥାତ ୫୮ ପ୍ରତିଶତ । ବିଜୟୀ ହୋଇଥିବା ବିଜେପିର ୨୪୦ ସାଂସଦଙ୍କ ମଧ୍ଯରୁ ୯୫ ପ୍ରତିଶତ ଅର୍ଥାତ ୨୨୭ ଜଣ ହେଉଛନ୍ତି କୋଟିପତି । କଂଗ୍ରେସର ୯୯ ସାଂସଦଙ୍କ ମଧ୍ଯରୁ ୯୩ ପ୍ରତିଶତ ଅର୍ଥାତ ୯୨ ଜଣ ହେଉଛନ୍ତି କୋଟିପତି । ସେହିପରି ଡିଏମକେର ୨୨ ସାଂସଦଙ୍କ ମଧ୍ଯରୁ ୨୧ ଜଣ, ଟିଏମସିର ୨୯ ଜଣଙ୍କ ମଧ୍ଯରୁ ୨୭ ଜଣ, ସମାଜବାଦୀ ପାର୍ଟିର ୩୭ ଜଣଙ୍କ ମଧ୍ଯରୁ ୩୪ ଜଣ କୋଟିପତି ବୋଲି କହିଛି ଏଡିଆର । ଆପର ସମସ୍ତ ୩ ଜଣ, ଜେଡିୟୁର ୧୨ ଜଣ ଓ ଟିଡିପିର ସମସ୍ତ ୧୬ ସାଂସଦ ବି କୋଟିପତି ।