ସାଢେ ଚାରିକୋଟି ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଦୀର୍ଘ ୨୪ ବର୍ଷ ଧରି ବିଜେଡି ଓ ଏହାର ସଭାପତି ନବୀନ ପଟ୍ଟନାୟକଙ୍କୁ ଅକୁଣ୍ଠ ଆଶୀର୍ବାଦ କରିଛନ୍ତି ସାଢେ ଚାରିକୋଟି ଓଡ଼ିଶାବାସୀ । ଏଥିପାଇଁ ରାଜ୍ଯବାସୀଙ୍କୁ କୃତଜ୍ଞତା ଜଣାଇଛି ବିଜେଡି । ଜନମତକୁ ସମ୍ମାନ ଦେବା ସହ ରାଜ୍ଯବାସୀ ଏବେ ଯେଉଁ ଦାୟିତ୍ବ ଦେଇଛନ୍ତି ତାହା ସୁଚାରୁରୂପେ ପାଳନ କରିବାରୁ ବୋଲି କହିଛି ବିଜେଡି । ବିଜେଡି ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ସୁଲତା ଦେଓ ମିଳିତ ଭାବେ ପ୍ରେସମିଟ କରି ରାଜ୍ଯବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସସ୍ମିତ କହିଛନ୍ତି, ବିଜେଡିକୁ ଓଡ଼ିଶାବାସୀ ନିରନ୍ତର ଆଶୀର୍ବାଦ କରିଆସିଛନ୍ତି । ଲୋକଙ୍କ ଆଶୀର୍ବାଦ ବଳରେ ଆମେ ସେବା କରିଆସିଛୁ । ଓଡ଼ିଶାବାସୀଙ୍କ ଆଶୀର୍ବାଦ ପାଇଁ ଆମେ କୃତଜ୍ଞ । ଏଥର ନିର୍ବାଚନରେ ବିଜେଡିକୁ ୪୦ ପ୍ରତିଶତ ଭୋଟ ଦେଇଛନ୍ତି ରାଜ୍ଯବାସୀ । ସମର୍ଥନ ପାଇଁ ଜନସାଧାରଣଙ୍କୁ କୃତଜ୍ଞତା ଜଣାଉଛି । ଏହାସହି ବିଜେପିକୁ ସେ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ଦିନରେ ଓଡ଼ିଶାବାସୀ ଯେଉଁ ଭୂମିକା ଦେବେ ଓଡ଼ିଶାର ସ୍ବାର୍ଥ ଓ ଓଡ଼ିଶାବାସୀଙ୍କ ସେବା କରିବାକୁ ତାହା ତୁଲାଇବୁ ବୋଲି ସସ୍ମିତ କହିଛନ୍ତି । ସାଂସଦ ମାନସ ମଙ୍ଗରାଜ କହିଛନ୍ତି,  ୨୪ ବର୍ଷ ଧରି ବିଜେଡି ଓ ନବୀନଙ୍କୁ ଓଡ଼ିଶାବାସୀ ଅକୁଣ୍ଠ ସମର୍ଥନ ଦେଇଛନ୍ତି । ଏଥିପାଇଁ ଓଡ଼ିଶାବାସୀଙ୍କ ପାଖରେ ଆମେ କୃତଜ୍ଞ । ଯେଉଁ ଦାୟିତ୍ବ ଓଡ଼ିଶାବାସୀ ଦେଇଛନ୍ତି ଆମେ ତାହା ତୁଲାଇବୁ । ସାଂସଦ ସୁଲତା ଦେଓ ମଧ୍ଯ ରାଜ୍ଯବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।