ମହିଳାଙ୍କ ସହ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ମାରପିଟ୍ ବିବାଦ, ସାମ୍ନାକୁ ଆସିଲା ସତ

ନୂଆଦିଲ୍ଲୀ : ଏବେ ବିବାଦ ଘେରରେ ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ । ମୁମ୍ୱାଇରେ ରବୀନାଙ୍କ ନାଁରେ ହୋଇଥିବା ମାରପିଟ୍ ଅଭିଯୋଗକୁ ନେଇ ସତ ସାମ୍ନାକୁ ଆସିଛି । ଶନିବାର ରାତିରେ ରବୀନା ତାଙ୍କ ଡ୍ରାଇଭରକୁ ରକ୍ଷା କରିବାକୁ ଚେଷ୍ଟା କରିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା  । କିନ୍ତୁ ଜଣେ ବୃଦ୍ଧାଙ୍କ ସମେତ ୩ଜଣ ମହିଳାଙ୍କ ସହ ମାରପିଟ୍ କରିବା ନେଇ ରବୀନାଙ୍କ ନାଁରେ ଅଭିଯୋଗ ହୋଇଥିଲା। କିନ୍ତୁ ସିସିଟିଭି ଫୁଟେଜ ଅନୁଯାୟୀ ଏହା ମିଥ୍ୟା ଅଭିଯୋଗ କରାଯାଇଥିବା କୁହାଯାଉଛି । ଏହି ଘଟଣାକୁ ନେଇ ରବୀନା କୌଣସି ବୟାନ ଜାରି କରିନାହାନ୍ତି ।

ଅନ୍ୟପକ୍ଷେ ତଦନ୍ତ କରୁଥିବା ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଅଭିଯୋଗକାରୀମାନେ ରବୀନା ଟଣ୍ଡନଙ୍କ ନାଁରେ ମିଥ୍ୟା ଅଭିଯୋଗ ଆଣିଛନ୍ତି । ଘଟଣାକୁ ନେଇ ସମ୍ପୂର୍ଣ୍ଣ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଛି । ଏଥିରେ ଅଭିନେତ୍ରୀଙ୍କ ଡ୍ରାଇଭର କାର୍ ପଛକୁ କରି ପାର୍କିଂ କରୁଥିବା ବେଳେ , ସେହି ରାସ୍ତା ଦେଇ ମହିଳାଙ୍କ ଏକ ଗ୍ରୁପ୍ ଯାଉଥିଲେ ଏବଂ ସେମାନେ କହିଥିଲେ କି କାର୍ ବ୍ୟାକ୍ କରିବା ବେଳେ ପଛରେ କେହି ଅଛନ୍ତି କି ନାହିଁ ଦେଖିକି ବ୍ୟାକ୍ କରନ୍ତୁ । ଏହି କଥାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା । କିନ୍ତୁ କାର କାହାକୁ ଧକ୍କା ମାରି ନାହିଁ କି କେହି ଆହତ ହୋଇନଥିବା ନେଇ ପୋଲିସ ସ୍ପଷ୍ଟ କରିଛି ।

ରବୀନା ନିଜ ଉପରେ ଲାଗିଥିବା ଏପରି ଅଭିଯୋଗକୁ ନେଇ ଇଷ୍ଟାଗ୍ରାମରେ ଷ୍ଟୋରୀ ଅପଲୋଡ କରିଥିଲେ । ସେ କହିଥିଲେ କି  ଯେଉଁପ୍ରକାର ଏହି ଘଟଣାକୁ ଦର୍ଶାଯାଇଛି, ସେଥିରେ ସେ ଭୁଲ୍ ବୋଲି ଜଣାପଡୁଛନ୍ତି । କିନ୍ତୁ ସିସିଟିଭିରେ ସତ କଥା ପ୍ରମାଣ ହୋଇଯିବ । କାର୍ ପାର୍କିଂ ବେଳେ ମହିଳାଙ୍କ ଏକ ଗ୍ରୁପ୍ ସହ ତାଙ୍କ ଡ୍ରାଇଭର ଯୁକ୍ତିତର୍କ ଏବଂ ଧକ୍କା ମରାମରି ପରିସ୍ଥିତି ସୃଷ୍ଟି ହୋଇଯାଇଥିଲା । ସେତେ ବେଳେ ନିଜ ଡ୍ରାଇଭରକୁ ବଞ୍ଚାଇବା ପାଇଁ ସେ ଏଥିରେ ସାମିଲ ହୋଇଥିଲେ ବୋଲି ରବୀନା କହିଛନ୍ତି ।