ରଙ୍ଗ ରୁଟରେ ଗାଡି ଚଲାଉଥିଲେ ସାବଧାନ; ଲିକ ହୋଇଯିବ ଚକ୍

ଭୁବନେଶ୍ବର: ରଙ୍ଗ ରୁଟରେ ଗାଡି ଚଲାଉଛନ୍ତି କି ? ଯଦି ଏମିତି କରୁଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଚେକିଂ ବେଳେ ଚାଲାକ ହୋଇ ୟୁ ଟର୍ଣ୍ଣ ଦେଉଥିଲେ ଲିକ୍ ହୋଇଯିବ ଗାଡି । ଚକରେ ପଶି ଯିବ କଣ୍ଟା ।

ଅମାନିଆଙ୍କ ପାଇଁ ରଙ୍ଗ ରାଇଡ୍ ବ୍ୟାରିୟର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ଗତକାଲି ଠାରୁ ଏହି ବ୍ୟାରିୟରକୁ ବ୍ୟବହାର କରାଯାଇ ୧୦ରୁ ଅଧିକ ଗାଡିକୁ ଲିକ କରାଯାଇଛି । ସେହିପରି ଯେଉଁମାନେ ଗାଡି ଡ୍ରାଇଭ ବେଳେ ମୋବାଇଲ ବ୍ୟବହାର କରୁଛନ୍ତି, ସେମାନଙ୍କ ବିରୋଧରେ ମଧ୍ୟ ଆକ୍ସନ ମୋଡ଼କୁ ଆସିଛି କମିଶନରେଟ ପୋଲିସ । ଏଥର ଗାଡି କିମ୍ବା ଡ୍ରାଇଭିଂ ଲାଇସେନ୍ସ ନୁହେଁ, ସିଧାସଳଖ ବ୍ୟବହାର ହେଉଥିବା ମୋବାଇଲକୁ ମଧ୍ୟ ଜବତ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର । ବିଗତ ୪ ଦିନରେ ଟ୍ରାଫିକ ଖିଲାପକାରୀଙ୍କ ୪ ଶହ ଗାଡି ଜବତ କରି ଅମାନିଆଙ୍କ ନିଦ ହଜାଇ ଦେଇଛି କମିଶନରେଟ ପୋଲିସ ।