ଆଗାମୀ ୩ ଦିନ ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ପୁଣି ଉପରମୁହାଁ ପାରଦ । ଆଗାମୀ ୩ ଦିନ ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା । ଉପକୂଳ ଓଡିଶାରେ ବଢିବ ତାତିର ପ୍ରକୋପ । ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ଉଷ୍ମ ଓ ଆଦ୍ର ସ୍ଥିତି ଲାଗିରହିବା ସହ ୨୯ ଓ ୩୦ ତାରିଖରେ ସୁନ୍ଦରଗଡ ଝାରସୁଗୁଡା ସମ୍ବଲପୁର ବଲାଙ୍ଗୀର ଓ ନୂଆପଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହିଟ ୱେବ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ରାଜଧାନୀ ଭୁବନେଶ୍ବର ସମେତ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର ଆଦି ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିବା ସହ ଆର୍ଦ୍ରତା ୭୦ ପ୍ରତିଶତରୁ ଅଧିକ ରହିଛି । ସେପଟେ ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସହ ଗରମ ଅନୁଭୂତ ହେଉଥିବା ବେଳେ ରାଜ୍ୟର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ୩୦ ଓ ୧ ତାରିଖରେ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି ।

ବିଜୁଳି ଘଡଘଡି ସହ ବର୍ଷା ଓ ଝଡତୋଫାନ ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଅନ୍ୟପଟେ ମେ ୩୧ ରୁ ଜୁନ ୧ ତାରିଖ ସୁଦ୍ଧା ସଠିକ ସମୟରେ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି ବୋଲି କହିଛି ବିଭାଗ । ମୌସୁମୀ ବାୟୁ କେରଳ ଆସିବା ନେଇ ପାଗ ଅନୁକୂଳ ରହିଛି । କେରଳରେ ମୌସୁମୀ ବାୟୁ ଛୁଇଁବା ପରେ ଓଡ଼ିଶାରେ କେବେ ମୌସୁମୀ ବାୟୁ ପହଞ୍ଚିବ ତାହା ସ୍ପଷ୍ଟ ହେବ । ମେ ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁଛି ।