ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶା ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ: ଡିଜିପି ଅରୁଣ ଷଡ଼ଙ୍ଗୀ
1 min readଭୁବନେଶ୍ବର: ଓଡ଼ିଶାରେ ନିର୍ବାଚନ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ।
ସେ କହିଛନ୍ତି, ‘ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଭୋଟ ଗ୍ରହଣ । ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଓ ୨୮ ବିଧାନସଭା ପାଇଁ ଭୋଟ ହେବ । ୯ ଜିଲ୍ଲାରେ ଥିବା ୭ ହଜାର ୨୯୮ ପୋଲିଂ ବୁଥରେ ମତଦାନ ହେବ । ୫୩୭ ମାଓବାଦୀ ଅଧ୍ୟୁଷିତ ଇଲାକା ଭିତରେ ସମ୍ବେଦନଶୀଳ ବୁଥ ରହିଛି । ୧୭ ହଜାର ପୋଲିସ ଫୋର୍ସ ଏହି ନିର୍ବାଚନରେ ନିୟୋଜିତ ହୋଇଛନ୍ତି । ୧୦୪ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରାଯାଇଛି । ୯ ଜିଲ୍ଲାରେ ୬ ଶହ ମୋବାଇଲ ପାଟ୍ରୋଲିଂ ପାର୍ଟି କାମ କରୁଛି । ଜିପିଏସ ଜରିଆରେ କଣ୍ଟ୍ରୋଲ ରୁମକୁ ମନିଟର କରିବ ପାଟ୍ରୋଲିଂ ପାର୍ଟି ।’
ଆଗକୁ ସେ କହିଛନ୍ତି, ‘ଆଇନ ଶୃଙ୍ଖଳା ରକ୍ଷା ଓ ନିର୍ବାଚନ ପରିଚାଳନା ପାଇଁ ୯ ଜିଲ୍ଲାରେ ୫୧ ଚେକପୋଷ୍ଟରେ ଯାଞ୍ଚ କଡାକଡି ଚାଲିଛି । ସୀମାବର୍ତ୍ତି ଚେକ ପୋଷ୍ଟରେ ସମସ୍ତ ଯାନବାହନକୁ ଯାଞ୍ଚ କରାଯାଉଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ୨୧୦ଟି ଫ୍ଲାଇଁ ସ୍କ୍ୱାଡ୍ ମୁତୟନ ହୋଇଛନ୍ତି । ଏହାବାଦ ୧୫୫ ଷ୍ଟାଟିକ ସର୍ଭେଲାନ୍ସ ଟିମ ରହିଛନ୍ତି । ଏହି ୯ ଜିଲ୍ଲାରେ ୧୫ଟି ଇଭିଏମ ଷ୍ଟ୍ରଙ୍ଗରୁମ ରହିଛି । ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ସ୍ଵତନ୍ତ୍ର ଅଭିଯାନ ଚଳାଯାଉଛି । ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ପୋଲିସ ସହ ଓଡିଶା ପୋଲିସ ଆଲୋଚନା କରିଛି । ଅତିରିକ୍ତ ଡିଜି-ଅପରେଶନ ଦେବଦତ୍ତ ସିଂ ଏ ସବୁକୁ ମନିଟର କରୁଛନ୍ତି । ଏକ ଏୟାର ଆମ୍ବୁଲାନ୍ସ ଓ ହେଲିକ୍ୟାପ୍ଟର ପ୍ରସ୍ତୁତ ରହିଛି । ଜାନୁଆରୀ ପ୍ରଥମ ସପ୍ତାହରୁ ଏପର୍ଯ୍ୟନ୍ତ ୩୩ ହଜାର ଗିରଫ ପରୱାନା ଜାରି କରାକରାଯାଇଛି ।