ଆଜି ଆମ୍ ଆଦମୀ ପାର୍ଟି ବିଧାୟକଙ୍କ ସହ କେଜ୍ରିଓ୍ବାଲଙ୍କ ବୈଠକ

1 min read

ନୂଆଦିଲ୍ଲୀ: ଜେଲରୁ ଅନ୍ତରୀଣ ଜାମିନରେ ଫେରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆମ୍ ଆଦମୀ ପାର୍ଟିର ସମସ୍ତଙ୍କ ବିଧାୟକଙ୍କୁ ଭେଟିବାକୁ ଯାଉଛନ୍ତି । ଆଜି ନିଜ ବାସଭବନରେ ବିଧାୟକମାନଙ୍କ ସହ କେଜ୍ରିଓ୍ବାଲ ବୈଠକ କରିବାକୁ ଯାଉଛନ୍ତି । ଆସନ୍ତା ମେ’ ୨୫ରେ ଦିଲ୍ଲୀରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ ।

ଗତକାଲି କେନ୍ଦ୍ର ଉପରେ ବର୍ଷିଥିଲେ କେଜ୍ରିଓ୍ବାଲ । ସେ କହିଥିଲେ- ସେମାନେ ଆମକୁ ଧ୍ବଂସ କରିଦେବେ । ତେବେ ଆମ ଆଦମୀ ପାର୍ଟି ଏକ ଆଦର୍ଶ,  ସେମାନେ ଯେତେ ଆକ୍ରମଣ କରିବେ ଦଳ ସେତେ ଅଧିକ ଶକ୍ତିଶାଳୀ ହେବ ।

ଆଗକୁ ସେ କହିଥିଲେ,  ବର୍ତ୍ତମାନ ଦେଶରେ ଏକ ରାଷ୍ଟ୍ର ଏକ ନୀତି ଅନୁସାରେ ଶାସନ ଚାଲିଛି । ସେହିପରି ଏକ ରାଷ୍ଟ୍ର ଏକ ନିର୍ବାଚନ ଦିଗରେ ଦେଶକୁ ପରିଚାଳିତ କରାଯାଉଛି । ବିଜେପିର ଦୁଇ ବରିଷ୍ଠ ନେତା ସମସ୍ତ କ୍ଷମତା ନିଜ ହାତରେ ରଖିବା ଲାଗି ଯୋଜନା କରିଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ବିଜେପି ଶାସିତ ରାଜ୍ଯର ମୁଖ୍ଯମନ୍ତ୍ରୀଙ୍କୁ ପରିବର୍ତ୍ତନ କରାଯାଇଥିଲା । ସେମାନଙ୍କ ପକ୍ଷ ଛେଦନ ଲାଗି ଏହି ପଦକ୍ଷେପ ନିଆଯାଇଥିଲା । ଏପରିକି ଯଦି ପୁଣି ଥରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବ ତେବେ ତାହାର ପ୍ରଥମ କାମ ହେବ ଉତ୍ତରପ୍ରଦେଶ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥଙ୍କୁ ପରିବର୍ତ୍ତନ । ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଶିବରାଜ ଚୌହ୍ବାନ, ବସୁନ୍ଧରା ରାଜେ, ରମଣ ସିଂ ପ୍ରମୁଖଙ୍କ ରାଜନୀତିକୁ ଶେଷ କରିଦିଆଯାଇଛି ।

ସେ ଆହୁରି କହିଛନ୍ତି, ବିଭିନ୍ନ ସରକାରକୁ ଗାଦିଚ୍ଯୁତ କରିବା, ଅଣ ବିଜେପି ମୁଖ୍ଯମନ୍ତ୍ରୀମାନଙ୍କୁ ଜେଲରେ ପୂରାଇବା ହେଉଛି ବିଜେପିର ନୀତି । ଝାଡଖଣ୍ଡର ପୂର୍ବତନ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେଲରେ ପୂରାଇବା ଏକ ଉଦାହରଣ । ଆପ୍ ଏକ ଛୋଟ ଦଳ ଏବଂ ଦୁଇଟି ରାଜ୍ଯରେ କ୍ଷମତାରେ ଅଛି । ତଥାପି ଏହି ସରକାର ବିରୋଧରେ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି । ଦିଲ୍ଲୀ ମଦନୀତି ମାମଲାରେ କେଜ୍ରିଓ୍ବାଲଙ୍କୁ ଗତ ମାର୍ଚ୍ଚ ୨୧ ତାରିଖରେ ଗିରଫ କରାଯାଇଥିବା ବେଳେ ଗତ ମେ’ ୧୦ରେ ସୁପ୍ରିମକୋର୍ଟ ଦେଇଥିଲେ ଜୁନ ୧ ଯାଏଁ ଅନ୍ତରୀଣ ଜାମିନ ।