ଗୁପ୍ତେଶ୍ବର ଜଙ୍ଗଲକୁ ଜୈବ ବିବିଧତା ହେରିଟେଜ ସାଇଟର ମାନ୍ୟତା

ନନ୍ଦିଘୋଷ ବ୍ୟୁରୋ: ଗୁପ୍ତେଶ୍ବର ଜଙ୍ଗଲକୁ ଜୈବ ବିବିଧତା ହେରିଟେଜ ସାଇଟର ମାନ୍ୟତା ମିଳିଛି । ଗୁପ୍ତେଶ୍ବର ଶିବ ମନ୍ଦିର ଠାରୁ ଜୟପୁର ଫରେଷ୍ଟ ଡିଭିଜନର ଧନ୍ଦ୍ରାଖୋଲ ସଂରକ୍ଷିତ ଜଙ୍ଗଲ ପର୍ଯ୍ୟନ୍ତ ପରିବ୍ୟାପ୍ତ ଅଞ୍ଚଳକୁ ଜୈବ ବିବିଧତା ହେରିଟେଜ ସାଇଟର ମାନ୍ୟତା ଦେବାକୁ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ୩୫୦ ହେକ୍ଟର ପରିମିତ ଏହି ସଂରକ୍ଷିତ ଜଙ୍ଗଲରେ ଅନେକ ପବିତ୍ର ଗଛ ରହିଛି, ଯାହାକୁ ସ୍ଥାନୀୟ ଲୋକେ ପୂଜା କରନ୍ତି । ଓଡିଶା ଜୈବ ବିବିଧତା ବୋର୍ଡ ପକ୍ଷରୁ ଏକ ସର୍ଭେ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା । ସର୍ଭେ ଅନୁଯାୟୀ, ଏହି ସଂରକ୍ଷିତ ଜଙ୍ଗଲରେ ୬୦୮ ପ୍ରଜାତିର ଜୀବଜନ୍ତୁ ଅଛନ୍ତି । ୨୮ ପ୍ରଜାତିର ସ୍ତନ୍ଯପାୟୀ, ୧୮୮ ପ୍ରଜାତିର ପକ୍ଷୀ, ୪୮ ପ୍ରଜାତିର ସରିସୃପ, ୧୪୧ ପ୍ରକାରର ପ୍ରଜାପତି, ୩୦ ପ୍ରଜାତିର ବୁଢିଆଣୀ, ୪୩ ପ୍ରଜାତିର କୀଟ, ୬ ପ୍ରକାରର ବିଛା ଓ ୨୦ ପ୍ରକାର ଅମେରୁଦଣ୍ଡୀ ପ୍ରାଣୀ ଅଛନ୍ତି । ଏହାସହ ମଗର ପ୍ରଜାତିର କୁମ୍ଭୀର, ବୁଦା ବେଙ୍ଗ ମଧ୍ୟ ଏଠାରେ ଅଛନ୍ତି । ଗୁପ୍ତେଶ୍ବରର ଚୁନପଥର ଗୁମ୍ଫାରେ ଅଛନ୍ତି ୮ ପ୍ରଜାତିର ବାଦୁଡି । ଦକ୍ଷିଣ ଓଡିଶାରେ ୧୬ ପ୍ରକାର ବାଦୁଡି ଦେଖାଯାଆନ୍ତି ।

ସେମଧ୍ୟରୁ କେବଳ ଗୁପ୍ତେଶ୍ବରରେ ୮ ପ୍ରଜାତିର ବାଦୁଡି ଅଛନ୍ତି । ଏହାଛଡା ଏହି ସଂରକ୍ଷିତ ଜଙ୍ଗଲରେ ରହିଛି ୧୮୨ ପ୍ରଜାତିର ଗଛ, ୭୬ ପ୍ରଜାତିର ଗୁଳ୍ମ, ୬୨ ପ୍ରକାରର ଔଷଧୀୟ ବୃକ୍ଷ ଓ ୧୪ ପ୍ରକାରର ଅର୍ଚିଡ । ଏହି ସଂରକ୍ଷିତ ଜଙ୍ଗଲରେ ରହିଛି ଅନେକ ଲୁପ୍ତପ୍ରାୟ ଔଷଧୀୟ ବୃକ୍ଷ । ଗୁପ୍ତେଶ୍ବର ସଂରକ୍ଷିତ ଜଙ୍ଗଲକୁ ଜୈବ ବିବିଧତା ହେରିଟେଜ ସାଇଟର ମାନ୍ୟତା ମିଳିବା ପରେ ଏଠାରେ ଥିବା ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ଓ ବୃକ୍ଷରାଜିର ସୁରକ୍ଷା କରାଯାଇପାରିବ । ଜୈବ ବିବିଧତା ହେରିଟେଜ ସାଇଟ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ୩୫ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଏବେ ରାଜ୍ୟରେ ବୈଜ ବିବିଧତା ହେରିଟେଜ ସାଇଟ ସଂଖ୍ୟା ଚାରିକୁ ବୃଦ୍ଧି ପାଇଛି । ଅନ୍ୟ ଜୈବ ବିବିଧତା ହେରିଟେଜ ସାଇଟ ଗୁଡିକ ହେଲା କନ୍ଧମାଳର ମଣ୍ଡାସୁର, ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଏବଂ ବରଗଡ ଓ ବଲାଙ୍ଗିର ଜିଲ୍ଲାରେ ଥିବା ଗନ୍ଧମାର୍ଦ୍ଦନ ପର୍ବତ ।