ମୁଖ୍ୟମନ୍ତ୍ରୀ କଳାକାର ଓ ମଧୁବାବୁ ପେନସନ ଯୋଜନାରେ ସାମିଲ ହେବେ ୪ ଲକ୍ଷ ୩୦ ହଜାର

1 min read

ଭୁବନେଶ୍ବର: କଳାକାର ଓ ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀ କଳାକାର ଯୋଜନାରେ ସାମିଲ ହେବେ ୩୦ ହଜାର କଳାକାର । ସେହିପରି ମଧୁବାବୁ ପେନସନ ଯୋଜନାରେ ସାମିଲ ହେବେ ୪ ଲକ୍ଷ ଅତିରିକ୍ତ ହିତାଧିକାରୀ ।

ମୁଖ୍ୟମନ୍ତ୍ରୀ କଳାକାର ଯୋଜନାରେ ନୂଆ ୩୦ ହଜାର କଳାକାର ସାମିଲ ହେବା ପରେ ହିତାଧିକାରୀଙ୍କ ସଂଖ୍ୟା ୮୦ ହଜାର ହୋଇଛି । ପୂର୍ବରୁ ୫୦ ହଜାର କଳାକାର ଏହି ଯୋଜନାର ଲାଭ ପାଉଥିଲେ । 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ଏ ନେଇ ଅନୁରୋଧ ଓ ପ୍ରସ୍ତାବ ଆସିଥିଲା । ମୁଖ୍ୟମନ୍ତ୍ରୀ ଏହାପରେ ଏହି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ପ୍ରମୁଖ ଯୋଜନା । ଏହି ଯୋଜନାରେ ୫୦ ହଜାର କଳାକାରଙ୍କୁ ମାସିକ ୧୨ ଶହ ଟଙ୍କା  ସହାୟତା ରାଶି ପ୍ରଦାନ କରାଯାଉଛି । ଏବେ ଆଉ ୩୦ ହଜାର କଳାକାର ଏଥିରେ ଉପକୃତ ହେବେ । ରାଜ୍ଯର ଲୋକକଳା ଗୁଡିକ ଆମ ଜାତିର ଅସ୍ମିତା । କଳାକାର ମାନେ ଭାଷା, ସାହିତ୍ଯ ଓ ସଂସ୍କୃତିର ପ୍ରଚାରକ ତଥା ବାର୍ତ୍ତାବହ ଅଟନ୍ତି । ଏହି ଯୋଜନାରେ ଅଧିକ କଳାକାରଙ୍କୁ ସାମିଲ କରାଯିବା ଯୋଗୁଁ ରାଜ୍ଯର ବିଭିନ୍ନ ପ୍ରାନ୍ତରୁ ଅନେକ କଳାକାର ଉତ୍ସାହିତ ଓ ଉପକୃତ ହେବେ ।

ସେହିପରି ମଧୁବାବୁ ପେନସନ ଯୋଜନାରେ ସାମିଲ ୪ ଲକ୍ଷ ଅତିରିକ୍ତ ହିତାଧିକାରୀଙ୍କୁ ସାମିଲ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ଯମନ୍ତ୍ରୀ । ଏହାଦ୍ବାରା ରାଜ୍ୟର ସମୁଦାୟ ମଧୁବାବୁ ପେନସନ ହିତାଧିକାରୀଙ୍କ ସଂଖ୍ୟା ୩୨ ଲକ୍ଷ ୭୫ ହଜାରରୁ ବୃଦ୍ଧି ପାଇ ୩୬ ଲକ୍ଷ ୭୫ ହଜାରରେ ପହଞ୍ଚିବ । ଏଥିପାଇଁ ରାଜ୍ୟ ସରକାର ମାସକୁ ୧୯୦ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ । 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ଲୋକେ ଏହି ଯୋଜନାରେ ଅଧିକ ଲୋକଙ୍କୁ ସାମିଲ କରିବାକୁ ଅନୁରୋଧ କରିଥିଲେ । ଲୋକଙ୍କ ଆବେଦନକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ୨୦୨୩ ଅଗଷ୍ଟରେ ଅତିରିକ୍ତ ୪ ଲକ୍ଷ ୧୩ ହଜାର ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରିଥିଲେ ରାଜ୍ୟ ସରକାର । ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସାମାଜିକ ସୁରକ୍ଷା ପ୍ରଦାନ କରିଥାନ୍ତି । ଏଥିରେ ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, ସୁସ୍ଥ ହୋଇଥିବା କୁଷ୍ଠ ଓ ଏଡ଼ସ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, କିନ୍ନର ଓ କୋଭିଡରେ ଅନାଥ ପିଲାମାନେ ସାମିଲ ହୋଇଥାନ୍ତି । ହିତାଧିକାରୀ ମାସକୁ ୫୦୦ ଟଙ୍କା ପାଇଥାନ୍ତି । ୮୦ ବର୍ଷ ବା ଅଧିକ ବୟସର ଲୋକ ମାସକୁ ୭୦୦ ଟଙ୍କା ପାଆନ୍ତି । ଭିନ୍ନକ୍ଷମ ବ୍ୟକ୍ତିଙ୍କ କ୍ଷେତ୍ରରେ ୪୦ ରୁ ୫୯ ପ୍ରତିଶତ ଅକ୍ଷମତା ଥିବା ଲୋକ ମାସକୁ ୫୦୦ ଟଙ୍କା ପାଉଥିବା ବେଳେ ୬୦ ପ୍ରତିଶତ ବା ଅଧିକ ଅକ୍ଷମତା ଥିବା ବ୍ୟକ୍ତି ୭୦୦ ଟଙ୍କା ପାଆନ୍ତି । ୬୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ୮୦ ବର୍ଷ ବୟସରୁ ଊର୍ଦ୍ଧ୍ବ ଲୋକଙ୍କୁ ମାସିକ ୯୦୦ ଟଙ୍କା ମିଳିଥାଏ ।