ଦେଶ ପାଳୁଛି ୭୫ ତମ ଗଣତନ୍ତ୍ର ଦିବସ, ଦିଲ୍ଲୀରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ଆଜି ଭାରତ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ। ଏହି ପବିତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ମୁର୍ମୁ।
ଏହି ସମୟରେ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚଳିତ ବର୍ଷର ମୁଖ୍ୟ ଅତିଥି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଉପସ୍ଥିତ ଥିଲେ। ଏଥିସହ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟ, ତିନି ସେନାର ମୁଖ୍ୟ ଏବଂ କମାଣ୍ଡରମାନେ ମଧ୍ୟ କର୍ତ୍ତବ୍ୟ ପଥରେ ଆୟୋଜିତ ଗଣତନ୍ତ୍ର ଦିବସରେ ଉପସ୍ଥିତ ରହିଥିଲେ।
ଏହି ଅବସରରେ ଦିଲ୍ଲୀ କର୍ତ୍ତବ୍ୟ ପଥରେ ଭବ୍ୟ ପରେଡ ସମାରୋହ ଅନୁଷ୍ଠିତ ହେଉଛି। ଭାରତୀୟ ସେନର ୩ ବାହିନୀ, ଅର୍ଦ୍ଧସାମରିକ ବାହିନୀ, ଏନସିସି ସମେତ ବିଭିନ୍ନ ଦଳ ପକ୍ଷରୁ ଚାଲିଛି ପରେଡ ପ୍ରଦର୍ଶନ। ପରେଡ ଅଭିବାଦନ ଗ୍ରହଣ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉତ୍ସବରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମାରୋହର ମୁଖ୍ଯ ଅତିଥି ଭାବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଯୋଗ ଦେଇଛନ୍ତି । ବିଭିନ୍ନ ରାଜ୍ୟ ଓ ଅନୁଷ୍ଠାନ ପକ୍ଷରୁ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ କରାଯାଉଛି। ଓଡ଼ିଶାର କଳା ଓ ସଂସ୍କୃତିର ଝଲକ ଦେଖୁଛି ସାରା ବିଶ୍ବ । କର୍ତ୍ତବ୍ୟପଥରେ ଚମକିଛି ଓଡ଼ିଶାର ପ୍ରଜ୍ଞାପନ ମେଢ । ବିଭିନ୍ନ ପ୍ରଜ୍ଞାପନ ମେଢରେ ଭାରତୀୟ କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ପରେଡରେ ସାମିଲ ହୋଇଛନ୍ତି ଫ୍ରାନ୍ସ ସେନାର କଣ୍ଟିଜେଣ୍ଟ । ଏଥିରେ ୯୫ ଜଣିଆ ମାର୍ଚିଂ କଣ୍ଟିଜେଣ୍ଟ ସହ ୩୩ ସଦସ୍ୟ ବିଶିଷ୍ଟ ଫ୍ରାନ୍ସ ବ୍ୟାଣ୍ଡ୍ ସାମିଲ ହୋଇଛନ୍ତି । ୨୦୨୩ ଫ୍ରାନ୍ସର ବାଷ୍ଟାଇଲ୍ ଡେ ପରେଡରେ ଭାରତୀୟ ସେନାର କଣ୍ଟିଜେଣ୍ଟ ସାମିଲ ହୋଇଥିଲା ।