ପଶ୍ଚିମ ଓଡ଼ିଶାରେ ଅପୂର୍ବ ଶିଳ୍ପ ସମ୍ଭାବନା, ସୁଯୋଗ ଆଣିଛି ଝାରସୁଗୁଡ଼ା ଶିଳ୍ପ ସମ୍ମିଳନୀ ଓ ଭିତ୍ତିଭୂମି

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ପ୍ରଥମ ଶିଳ୍ପ ସମ୍ମିଳନୀ । ଫୋକସରେ ପଶ୍ଚିମ ଓଡ଼ିଶା । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଗୁରୁତ୍ବ । ରାଉରକେଲା, ବରଗଡ଼, ସମ୍ବଲପୁର, ବଲାଙ୍ଗୀର, ବ୍ରଜରାଜନଗର ଓ ଝାରସୁଗୁଡ଼ା ଅଞ୍ଚଳରେ ଶିଳ୍ପାୟନକୁ ମିଳିଛି ବଳ । ହୀରାକୁଦ ପାଣି, ପର୍ଯ୍ୟାପ୍ତ ଲୁହାପଥର, ବକ୍ସାଇଟ୍‌, କ୍ରୋମାଇଟ୍‌ ସହିତ ରାଉରକେଲା ଓ ଝାରସୁଗୁଡ଼ାକୁ ବିମାନ ସଂଯୋଗ ଶିଳ୍ପପତିଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି । ବିଜୁ ଏକ୍ସପ୍ରେସ ଓ୍ବେ, ବିଜୁସେତୁ ଭଳି ଭିତ୍ତିଭୂମି ପଶ୍ଚିମ ଓଡ଼ିଶାକୁ ଯୋଗାଯୋଗ କ୍ଷେତ୍ରରେ ସୁଦୃଢ଼ କରିଛି । ଝାରସୁଗୁଡ଼ାରେ ଶିଳ୍ପ ସମ୍ମିଳନୀ ପୁଞ୍ଜି ଯୋଗାଡ଼ରେ ହୋଇଛି ସହାୟକ । ଗୋଟିଏ ଦିନରେ ବିଭିନ୍ନ ଶିଳ୍ପପତିଙ୍କ ସହ ୧୧ଟି ଚୁକ୍ତିନାମା ସ୍ବାକ୍ଷର ହୋଇଛି । ୧୧ଟି ଶିଳ୍ପରେ ୨୩ ହଜାର ୩୮୯ କୋଟି ଟଙ୍କା ବିନିଯୋଗ ସହ ୧୫ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ । ରାଉରକେଲା ପରେ ଝାରସୁଗୁଡ଼ା ସାଜିଛି ପଶ୍ଚିମ ଓଡ଼ିଶାର ଶିଳ୍ପକେନ୍ଦ୍ର ।

ରାଜ୍ୟ ସରକାରଙ୍କ ପ୍ରାଥମିକତା ତାଲିକାରେ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ, କେମିକାଲ, ଆଇଟି, ପ୍ଲାଷ୍ଟିକ, ସେବା କାଟାଗୋର ଅଛି । ପଶ୍ଚିମ ଓଡ଼ିଶାରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ବ୍ୟତୀତ ବେଦାନ୍ତ, ହିଣ୍ଡାଲକୋ, ନାଲକୋ, ଜିନ୍ଦଲ ଭଳି କମ୍ପାନୀ ଷ୍ଟିଲ କ୍ଷେତ୍ରରେ ବୃହତ୍‌ ପୁଞ୍ଜିନିବେଶ କରିଥିବା ବେଳେ ଏବେ ଶକ୍ତି, ପ୍ଲାଷ୍ଟିକ, ବିସ୍କୁଟ କାରଖାନା ପାଇଁ ଚୁକ୍ତି ହୋଇଛି । ବୃହତ୍‌ ଶିଳ୍ପ ଅପେକ୍ଷା ରାଜ୍ୟ ସରକାର ଏମ୍ଏସଏମ୍ଇ ଉପରେ ଗୁରୁତ୍ବ ଦେଉଥିବାରୁ ଅଧିକ ନିଯୁକ୍ତି ସମ୍ଭାବନା ବଢ଼ିଛି । ୨୦୨୫ ସୁଦ୍ଧା ଅଢ଼େଇ ଲକ୍ଷ କୋଟି ପୁଞ୍ଜିନିବେଶ ସାଙ୍ଗକୁ ୩୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ଦିଗରେ ଆଗେଇ ଚାଲିଛି ଓଡ଼ିଶା । ସ୍ଥିର ସରକାର ସାଙ୍ଗକୁ ଶିଳ୍ପ ପାଇଁ ଲ୍ୟାଣ୍ଡ ବ୍ୟାଙ୍କ, ଶିଳ୍ପନୀତି, ଶିଳ୍ପ ପ୍ରତିଷ୍ଠା ଦିଗରେ ପ୍ରଶାସନିକ ତତ୍ପରତା ପାଇଁ ଶିଳ୍ପପତି ଓଡ଼ିଶାମୁହାଁ ହୋଇଛନ୍ତି । ଝାରୁସୁଗୁଡ଼ାରେ ଆୟୋଜିତ ତିନି ଦିନିଆ ଶିଳ୍ପ ସମ୍ମିଳନୀ ପୂରା ପଶ୍ଚିମ ଓଡ଼ିଶା ଉପରେ ପ୍ରଭାବ ପକାଇବ ।

କିଛିଦିନ ତଳେ ବରଗଡ଼ରେ ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ଓ ସମ୍ବଲପୁରରେ ମିଲ୍କ ସମ୍ମିଟ ଆୟୋଜନ ହୋଇଥିଲା । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଝାରୁସୁଗୁଡ଼ାରେ ଶିଳ୍ପ ସମ୍ମିଳନୀ ଆୟୋଜନ ପଶ୍ଚିମ ଓଡ଼ିଶାରେ ଅଧିକ ପୁଞ୍ଜି ବିନିଯୋଗ ପାଇଁ ବାଟ ଫିଟାଇଛି । ସ୍ଥାନୀୟ ଯୁବକ ଯୁବତୀଙ୍କୁ ଅଧିକ ନିଯୁକ୍ତି ମିଳିବା ସମ୍ଭାବନା ସୃଷ୍ଟି ହୋଇଛି  ।