ମାଟ୍ରିମୋନି ସାଇଟରେ କରୁଥିଲେ ବାୟା, ଯୁବତୀ ବେଶରେ ଲୁଟିନେଲେ ୩ ଲକ୍ଷ

ଭୁବନେଶ୍ବର: ଯୁବତୀ ବେଶରେ ଯୁବକଙ୍କୁ ଚୁନା । ମାଟ୍ରିମୋନି ସାଇଟରେ ଯୁବତୀଙ୍କ ପ୍ରୋଫାଇଲ ଓ ଫଟୋ ରଖି ବିବାହ ଆଶାୟୀ ମାନସ ରଞ୍ଜନ ପଣ୍ଡାଙ୍କ ଠାରୁ ବିଭିନ୍ନ ବାହାନାରେ ୩ ଲକ୍ଷ ୧୮ ହଜାର ଟଙ୍କା ଠକି ନେଇଥିଲା ଠକ । ନବମ ଶ୍ରେଣୀ ପାଠ ପଢିଥିବା ଏହି ଚତୁର ଠକ ଦୀପା ପ୍ରଧାନ ନାମରେ ମାଟ୍ରିମୋନି ସାଇଟରେ ଗୋଟିଏ ଆକାଉଣ୍ଟ ଖୋଲି ଭୁଆଁ ବୁଲାଉଥିଲା ।

ସମ୍ପର୍କୀୟଙ୍କ ଦେହ ଖରାପ କହି ୩ ଥରରେ ଅନଲାଇନରେ ୩ ଲକ୍ଷରୁ ଅଧିକ ଟଙ୍କା ନେଇଯାଇଥିଲା । ଅଭିଯୋଗକାରୀ ନିଜେ ଠକାମିର ଶିକାର ହୋଇଥିବା ନେଇ ଖବର ପାଇବା ପରେ ୨୦୨୩ ନଭେମ୍ବର ୧୫ରେ ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁରୀ ସଦର ଥାନା ଭାତକୁଡି ଗାଁର ନୃସିଂହ ବିଶ୍ୱାଳକୁ ଗିରଫ କରିଛି ସାଇବର ଥାନା ପୋଲିସ ପୋଲିସ ।