spot_img

Latest Posts

ଶ୍ରୀ ସେତୁରେ ଟ୍ରାଏଲ ରନ୍ ଭାବେ ଗଡ଼ିଛି ଡିଜିପିଙ୍କ କାରକେଡ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସଜେଇ ହୋଇଛି ଶ୍ରୀକ୍ଷେତ୍ର । ବେଦ ଓ ଯଜ୍ଞ ଧ୍ବନୀରେ ଉତ୍ସବ ମୁଖରିତ ପୂରା ସହର। ସବୁ କାମରେ ଦିଆଯାଉଛି ଶେଷ ସ୍ପର୍ଶ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭିତର ଓ ବାହାର ବେଢାର ସୌନ୍ଦର୍ଯ୍ୟ ସାଙ୍ଗକୁ ସୁସଜ୍ଜିତ ଆଲୋକମାଳା ଶ୍ରୀକ୍ଷେତ୍ରକୁ ଆହୁରି ରଙ୍ଗୀନ କରିଛି। ସେପଟେ ଶ୍ରୀସେତୁ, ଶ୍ରୀମାର୍ଗ ଏବଂ ଜଗନ୍ନାଥ ବଲ୍ଲଭ ପିଲଗ୍ରିମ ସେଣ୍ଟର ବି ଲୋକାର୍ପଣ ଅପେକ୍ଷାରେ । ଶ୍ରୀ ସେତୁରେ ଟ୍ରାଏଲ ରନ୍ ଭାବେ ଗଡ଼ିଛି ଡିଜିପିଙ୍କ କାରକେଡ । ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ।

ପୁରୀ ବାଇପାସରୁ ଡାଇରେକ୍ଟ ବଡ଼ଦାଣ୍ଡ। ମାଧ୍ୟମ ଶ୍ରୀସେତୁ ଆଉ ଶ୍ରୀମାର୍ଗ। ଏଥର ଓଡ଼ିଶାର ପ୍ରଥମ ଟ୍ରମ୍ପେଟ ବା ଅଙ୍କାବଙ୍କା ସେତୁ ଉପରେ କାଳିଆ ଧାମରେ ପହଞ୍ଚିବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଲୋକାର୍ପଣ ଅପେକ୍ଷାରେ ରହିଛି ଏହି ଐତିହାସିକ ସେତୁ।  ଶ୍ରୀସେତୁରୁ ଶ୍ରୀକ୍ଷେତ୍ର, ଭାୟା ଜଗନ୍ନାଥ ବଲ୍ଲଭ ପିଲଗ୍ରିମ ସେଣ୍ଟର। ଏହି ରୁଟ୍ ହିଁ ପର୍ଯ୍ୟଟକଙ୍କ ପାଇଁ ହେବାକୁ ଯାଉଛି ନୂଆ ଗତିପଥ। ଲୋକାର୍ପଣ ପୂର୍ବରୁ ବ୍ରିଜ ଉପରେ ପରୀକ୍ଷାମୂଳକ ଭାବେ ଗଡ଼ିଛି ଡିଜିପିଙ୍କ କାରକେଡ୍। ଖାଲି ସହଜ ଗତିପଥ ନୁହେଁ, ପର୍ଯ୍ୟଟକଙ୍କୁ ସୁନ୍ଦର ଅନୁଭୂତି ଦେବ ଶ୍ରୀସେତୁ। ସ୍ବାଗତ ତୋରଣ ସାଙ୍ଗକୁ ରାସ୍ତା କଡ଼େ କଡ଼େ ପଥରର ବିଶାଳ ଐତିହ୍ୟ ସମ୍ପର୍ଣ୍ଣ ପ୍ରତିମୂର୍ତ୍ତି ଆକର୍ଷିତ କରୁଛି।

ରାସ୍ତା ପାର୍ଶ୍ବରେ କଳା ସ୍ଥାପତ୍ୟର ନିଦର୍ଶନ ଶଙ୍ଖକ୍ଷେତ୍ରର ମହିମାକୁ ଆହୁରି ରୁଦ୍ଧିମନ୍ତ କରୁଛି। ଶ୍ରୀସେତୁ ସହ ସଂଯୋଗ ହୋଇଥିବା ଜଗନ୍ନାଥ ବଲ୍ଲଭ ପିଲଗ୍ରିମ ସେଣ୍ଟର ବି ୧୭ ତାରିଖରେ ଲୋକାର୍ପିତ ହେବ। ମଲ୍ଟି ଲେବୁଲ ପାର୍କିଂ ପାଇଁ ୫ ତାଲା ବିଶିଷ୍ଟ ମହଲାର ବେସମେଣ୍ଟ, ଗ୍ରାଉଣ୍ଡ ଓ ପ୍ରଥମ ମହଲାରେ ଚାରି ଓ ଛଅ ଚକିଆ ଗାଡ଼ି ରହିବା ବ୍ୟବସ୍ଥା କରାଯାଇଛି  । ଦ୍ବିତୀୟ ମହଲାରେ ସପିଂ କମ୍ପ୍ଲେକ୍ସ ରହିବ। ପଞ୍ଚମ ମହଲାରେ ପର୍ଯ୍ୟଟକଙ୍କ ପାଇଁ ପ୍ରାଣାୟାମ, ଯୋଗ କେନ୍ଦ୍ର ସହ ଲବି ଏବଂ ଲାଉଞ୍ଜର ବ୍ୟବସ୍ଥା ରହିଛି । ଯାହାକୁ ଇଞ୍ଜିନିୟର ଓ କର୍ମଚାରୀମାନେ ଶେଷ ସ୍ପର୍ଶ ଦେଉଛନ୍ତି। ଏଇଠୁ ଶ୍ରୀମାର୍ଗ ଦେଇ ଶ୍ରୀକ୍ଷେତ୍ର ଯିବେ ଶ୍ରଦ୍ଧାଳୁ। ଏଥିପାଇଁ ଶ୍ରୀମାର୍ଗର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ କେବଳ ପୁରୀ ସହର ନୁହେଁ, ଉତ୍ସବମୁଖର ସାରା ଓଡ଼ିଶା। ଗାଁ ଗାଁରେ ଜଗନ୍ନାଥ ଅର୍ପଣ ରଥ ବୁଲିବା ସହ ସରକାରୀ ଛୁଟି ଘୋଷଣା ସମସ୍ତଙ୍କୁ ଶ୍ରୀକ୍ଷେତ୍ରମୁହାଁ କରିଛି। ଲୋକାର୍ପଣ ଉତ୍ସବରେ ରଥଯାତ୍ରା ଭଳି ଭିଡ଼କୁ ନଜରରେ ରଖି ଚାରି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଅଧିକାରୀଙ୍କ ୨୪ ଘଣ୍ଟିଆ ନଜରରେ ଶ୍ରୀମନ୍ଦିର ଚାରିକଡ଼େ ଯଜ୍ଞ ଓ ବେଦ ମଣ୍ଡପ। ବଡ଼ଦାଣ୍ଡରେ ଆଇନଶୃଙ୍ଖଳା, ସହରରେ ଟ୍ରାଫିକ ନିମନ୍ତ୍ରଣ, ଓ ବେଳାଭୂମିରେ ଶାନ୍ତିଶୃଙ୍ଖଳା ପାଇଁ ପ୍ରାୟ ୪୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ। ୧୨ରୁ ଅଧିକ ଅଧିକାରୀ ସୁରକ୍ଷା ସ୍ଥିତି ଉପରେ ନଜର ରଖିବେ।

ଏଥିପାଇଁ ଟ୍ରେନିଂ ଓ ଡ୍ରିଲିଂ କାମ ଶେଷ ହୋଇଛି। କୌଣସି ବିଶୃଙ୍ଖଳା ବା ଅଘଟଣକୁ ଏଡ଼ାଇବା ପାଇଁ ପ୍ରତ୍ୟେକ ଦିଗକୁ ସ୍ବତନ୍ତ୍ର ଧ୍ୟାନ ଦେଉଛନ୍ତି ଶ୍ରୀମନ୍ଦିର ପ୍ରଶାସକଙ୍କ ସହ ପୁରୀ ଜିଲ୍ଲାପାଳ ଓ ଏସପି। ମୁଖ୍ୟ ଶାସନ ସଚିବ ଗତକାଲି ସ୍ଥିତିର ସମୀକ୍ଷା କରିଥିବା ବେଳେ ଆଜି ପୋଲିସ ଡିଜି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହେଲିପ୍ୟାଡଠାରୁ ବଡ଼ଦାଣ୍ଡ, ଶ୍ରୀସେତୁର ବେଳାଭୂମି ଓ ଶ୍ରୀମାର୍ଗରୁ ଯଜ୍ଞ ମଣ୍ଡପ ଯାଏ ସବୁ କିଛି ସର୍ଭେଲାନ୍ସ କ୍ୟାମେରାରେ ନଜର ରଖାଯିବ। ଡଗସ୍କ୍ବାଡ୍, ବମ ସ୍କ୍ବାଡ୍ ଓ ସ୍ବତନ୍ତ୍ର ଗୁଇନ୍ଦା ବିଭାଗ ମଧ୍ୟ ହାଇଆଲର୍ଟରେ ରହିଛି  ।

Latest Posts

Don't Miss