କଟକିଆଙ୍କ ମନୋରଞ୍ଜନର ନୂଆ ଠିକଣା ପାଲଟିବ ଫୁଡ୍ କୋର୍ଟ କମ୍ ଜଗର୍ସ ପାର୍କ
କଟକ: କଟକିଆ ମାନଙ୍କର ମନୋରଞ୍ଜନର ନୂଆ ଠିକଣା ପାଲଟିବ ବେଲଭ୍ୟୁ ନିକଟରେ ନିର୍ମାଣାଧୀନ ଫୁଡ୍ କୋର୍ଟ କମ୍ ଜଗର୍ସ ପାର୍କ । ବର୍ତମାନ ନିର୍ମାଣ କାର୍ଯ୍ୟ ପାଖାପାଖି ୮୦ ପ୍ରତିଶତ ସରିଛି । ଆସନ୍ତା ମାର୍ଚ୍ଚ ମାସ ଭିତରେ କାର୍ଯ୍ୟ ସରିବା ନେଇ ଲକ୍ଷ୍ୟ ରଖାଯାଇଛି । ଆଗକୁ ଏହା ଆକର୍ଷଣ ର କେନ୍ଦ୍ରବିନ୍ଦୁ ସାଜିବ ବୋଲି କହିଛନ୍ତି କଟକ ମେୟର । ଅନ୍ୟପଟେ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି କଟକ ବାସିନ୍ଦା ।
ବିକାଶର ଶୀର୍ଷ ଛୁଉଁଛି କଟକ । ଉନ୍ନତ୍ତିକରଣରେ ଲେଖୁଛି ନୂଆ ଇତିହାସ । ଏବେ ସହରିଆଙ୍କ ମୋନରଞ୍ଜନର ନୂଆ ଠିକଣା ପାଲଟିବ ବେଳଭ୍ୟୁ ଛକ । ଏଠାରେ ନିର୍ମାଣ ଚାଲିଛି ଅତ୍ୟାଧୁନିକ ଓ ଆକର୍ଷଣୀୟ ଫୁଡ୍ କୋର୍ଟ କମ୍ ଜଗର୍ସ ପାର୍କ । କଟକ ମହାନଗର ନିଗମର ଏହା ଏକ ଅନ୍ୟତମ ନିର୍ମାଣାଧୀନ ପ୍ରକଳ୍ପ । ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନ ଏହାର ନିର୍ମାଣ କାର୍ଯ୍ୟ ହାତକୁ ନେଇଛି । ପାଖାପାଖି ଅଢ଼େଇରୁ ତିନି ଏକର ଜମିରେ ନିର୍ମାଣ କାର୍ଯ୍ୟ ଚାଲିଛି । ବ୍ୟୟ ଅଟକଳ ରହିଛି ୮.୫ କୋଟି ଟଙ୍କା । ଗୋଟିଏ ସ୍ଥାନରେ ଫୁଡ୍ କୋର୍ଟ, ୪୦୦ ମିଟରର ଜଗିଂ ଟ୍ରାକ୍, ଦୁଇ ଲେନ ବିଶଷ୍ଟ ସାଇକେଲ ଟ୍ରାକ୍ ଓ ଅତ୍ୟାଧୁନିକ କାର ପାର୍କିଂ ରହିଛି । ପୁରା ପାର୍କ ଟିର ଆଲୋକିକରଣ କରାଯିବା ସହ ୱାଟର ଫାଉଣ୍ଟେନ, ଘାସ ଗ୍ୟାଲେରୀ ମଧ୍ୟ ରହିବ । ଫେବୃଆରୀ କିମ୍ବା ମାର୍ଚ୍ଚ ମାସ ମଧ୍ୟରେ ଏହାକୁ ଲୋକାର୍ପିତ କରାଯିବ । କଟକ ବାସିନ୍ଦାଙ୍କ ସହ ବାହାର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଛି ଗୋଟିଏ ପରେ ଗୋଟିଏ ପଦକ୍ଷେପ ।
ଧାର୍ଯ୍ୟ ସମୟ ପୂର୍ବରୁ କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ବର୍ତମାନ ୮୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । ଏହି ଫୁଡ୍ କୋର୍ଟ କମ ଜଗର୍ସ ପାର୍କ ନିର୍ମାଣକୁ ନେଇ ବେଶ୍ ଖୁସି ପ୍ରକଟ କରିଛନ୍ତି କଟକ ବାସିନ୍ଦା । ଏହା ନିଶ୍ଚିତ ଭାବରେ ସହରବାସୀଙ୍କ ମନୋରଞ୍ଜନର ଅନ୍ୟତମ ଖୋରାକ ସାଜିବ ବୋଲି କହିଛନ୍ତି ।