ଅଧଘଣ୍ଟାରେ ସମସ୍ୟାର ହେଲା ସମାଧାନ, ଅଭିଯୋଗ ଶୁଣିବା ପରେ 5T ଅଧ୍ୟକ୍ଷ ଯୋଗାଇଦେଲେ ସହାୟତା
1 min readଭଦ୍ରକ: ଅଭିଯୋଗର ଅଧଘଣ୍ଟାରେ ସମସ୍ୟାର ହେଲା ସମାଧାନ। ଭଦ୍ରକ ଆରଡି ଗସ୍ତବେଳେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆଙ୍କୁ ଭେଟି ସ୍ବାସ୍ଥ୍ୟଗତ ସମସ୍ୟା ବିଷୟରେ ଜଣାଇଥିଲେ ଆରଡି ପୀଠ ପରମାନନ୍ଦ ସାହୁଙ୍କ ଝିଅ କବିତା ସାହୁ । ଅଭିଯୋଗ ଶୁଣିବା ପରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।
ଏହାପରେ କବିତାଙ୍କ ଚିକିତ୍ସା ଲାଗି ତାଙ୍କୁ ୩୦ ହଜାର ଟଙ୍କା ଦେଇଛି ଜିଲ୍ଲା ପ୍ରଶାସନ। ଏହି ସହାୟତା ଅର୍ଥ ପାଇବା ପରେ କବିତା ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଅନ୍ୟପଟେ ବାବା ଆଖଣ୍ଡଳମଣି ପୀଠର ଚତୁଃପାର୍ଶ୍ବର ସମ୍ପ୍ରସାରଣ ସହ ଚାଲିଛି ଉନ୍ନତିମୂଳକ କାର୍ଯ୍ୟ । ଏଥିପାଇଁ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି ୪୨ କୋଟି ଟଙ୍କା । ମାଷ୍ଟରପ୍ଲାନ ସ୍ବପ୍ନ ଏବେ ବାସ୍ତବ ରୂପ ନେଉଛି । ଏହି କାର୍ଯ୍ୟ କିପରି ହୋଇଛି, ତା’ସହ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟ କେତେବାଟ ଆଗେଇଛି । ଗରଡି ଗସ୍ତ କରି ଏହାର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଆରଡି ପୀଠରେ ପ୍ରଥମେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ 5T ଅଧ୍ୟକ୍ଷ । ପରେ ମାଷ୍ଟର ପ୍ଲାନକୁ ଦେଖିବା ସହ ସେବାୟତଙ୍କ ସହ ଆଲୋଚନା କରିଥିଲେ । ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ପରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ 5T ଅଧ୍ୟକ୍ଷ । ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଯେଉଁ ସବୁ ଅଭିଯୋଗ ଅଛି ତାହା ଖୁବଶୀଘ୍ର ପୂରଣ କରାଯିବ ବୋଲି କହିଛନ୍ତି 5T ଅଧ୍ୟକ୍ଷ । ଦାନକଣିଆ ଘାଟରୁ ଆରଡି ବୈତରଣୀ ନଦୀରେ ସେତୁ ପାଇଁ ୮୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ପାଞ୍ଚଟିକିରି ଘାଟରୁ ନଦୀ ଉପରେ ସେତୁ ନିର୍ମାଣ ପାଇଁ ୫୦ କୋଟି ମଞ୍ଜୁର ହୋଇଛି । ଚାନ୍ଦବାଲି ଟାଉନରେ ପାଇପ ୱାଟର ସପ୍ଲାଏ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର ହୋଇଛି ।
ସେହିପରି ଧାମନଗରେ ମତ୍ସ୍ୟଜୀବୀଙ୍କ କଲ୍ୟାଣ ପାଇଁ ୨୭ କୋଟି ଟଙ୍କା ମଞ୍ଜୁର ହୋଇଛି । ମାଆ ଧାମରାଇ ମନ୍ଦିରର ଉନ୍ନତି ପାଇଁ କୋଟିଏ ଟଙ୍କା ଏବଂ ପାଟଣ ମଙ୍ଗଳାର ଉନ୍ନତିକରଣ ପାଇଁ କୋଟିଏ ଟଙ୍କା ମଞ୍ଜୁର ହୋଇଛି । ସବୁ କଲେଜର ରୂପାନ୍ତରଣ ପାଇଁ ୬ କୋଟି ଟଙ୍କା ମଞ୍ଜୁର ହୋଇଛି । ମନ୍ଦିର, ମସଜିଦ, କମ୍ୟୁନିଟି ସେଣ୍ଟର ପାଇଁ ୪ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ୫ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ୩୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ବାବା ଆଖଣ୍ଡଳମଣି ମନ୍ଦିରର ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଯେଉଁ ସବୁ ଦାବି ପତ୍ର ଆସିଛି, ସପ୍ତାହକ ମଧ୍ୟରେ ସେସବୁର ସମାଧାନ ହେବ । ଗ୍ରାମାଞ୍ଚଳରେ ଥିବା ସମସ୍ତ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ମାଆ ମାନଙ୍କ ପାଇଁ ଲକ୍ଷ୍ମୀ ଯୋଜନା ଖୁବଶୀଘ୍ର ଆସିବ ବୋଲି କହିଛନ୍ତି 5T ଅଧ୍ୟକ୍ଷ । ଆସନ୍ତା ଫେବ୍ରୁଆରୀ ମାସ ସୁଦ୍ଧା ମାସ ଭଦ୍ରକରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ବୋଲି କହିଛନ୍ତି 5T ଅଧ୍ୟକ୍ଷ ।