ଭଜନଲାଲ ଶର୍ମା କିଏ? ଜାଣନ୍ତୁ କାହିଁକି ତାଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ସସପେନ୍ସ ଉପରୁ ଉଠିଛି ପରଦା । ନୂଆ ମୁଖ୍ୟମନ୍ତ୍ରୀ ହେବେ ଭଜନଲାଲ ଶର୍ମା । ସାଙ୍ଗାନୋର ଆସନରୁ ପ୍ରଥମଥର ନିର୍ବାଚନ ଜିତିଥିବା ଭଜନଲାଲ ଶର୍ମାଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ କରାଗଲା । ବରିଷ୍ଠ ନେତାଙ୍କ ମଧ୍ୟ ପ୍ରତିଯୋଗିତା ଚାଲିଥିବାବେଳେ ଜଭନଲାଲ ଶର୍ମା ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା ହେବା ପରେ ରାଜନୈତିକ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା । ବିଧାୟକ ଦଳ ବୈଠକରେ ତାଙ୍କ ନାମ ବଛାଯିବା ପରେ ପର୍ଯ୍ୟବେକ୍ଷକଙ୍କ ସମ୍ମତିକ୍ରମେ ତାଙ୍କ ନାମ ସୁପାରିଶ କରାଯାଇଛି । ତେବେ ବିଧାୟକ ଦଳ ବୈଠକ ପୂର୍ବରୁ ଦଳର ବହୁ ବିଧାୟକ ପର୍ଯ୍ୟବେକ୍ଷକଙ୍କୁ ଭେଟିଥିଲେ ।

ଭଜନଲାଲଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ପ୍ରସ୍ତାବ ଦେଇଥିଲେ । ରାଜ୍ୟର ସାଧାରଣ ସମ୍ପାଦକଭାବେ ଦଳର ଗୁରୁ ଦାୟିତ୍ବ ତୁଲାଉଥିଲେ । ଜୟପୁରରେ ତାଙ୍କ ବାସ ଭବନ ରହିଥିବାବେଳେ ସେ ଭରତପୁରର ମୂଳ ବାସିନ୍ଦା । ବିଜେପିର ରାଜ୍ୟ ସାଧାରଣ ସମ୍ପାଦକଭାବେ କାର୍ଯ୍ୟ ତୁଲାଉଥିବାବେଳେ ସାଙ୍ଗାନୋର ଆସନରେ ପ୍ରଥମଥର ପାଇଁ ଟିକେଟ ଦିଆଯାଇଥିଲା । ଏହି ଆସନ ବିଜେପିର ଗଡ଼ଭାବେ ପରିଚିତ ଥିବାବେଳେ ବରିଷ୍ଠ ନେତାଙ୍କ ଟିକେଟ କଟାଇଯାଇଥିଲା । ତାଙ୍କୁ ଟିକେଟ ଦିଆଯାଇଥିବାବେଳେ ସେ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ ବିଜୟ ହୋଇଛନ୍ତି ।  ତେବେ ପୂର୍ବରୁ ତାଙ୍କ ନାମକୁ ନେଇ ଚର୍ଚ୍ଚା ହେଉନଥିଲା । ବଡ଼ ବଡ଼ ନେତାମାନେ ମୁଖ୍ୟମନ୍ତ୍ରୀ ରେସରେ ରହିଥିବାବେଳେ ଭଜନଲାଲଙ୍କ ନାମରେ ମୋହର ଲାଗିଛି ।