ମଦଭାଟି ମାଲିକଙ୍କ କଳାଟଙ୍କା: ୪୦ ବ୍ୟାଗରୁ ବାହାରିଲା ୪୬ କୋଟି ଟଙ୍କା
1 min readବଲାଙ୍ଗୀର: ବଲାଙ୍ଗୀର ମଦଭାଟି ଓ ମ୍ୟାନେଜର ଘରୁ ଶହ ଶହ କୋଟି ଜବତ ଘଟଣାକୁ ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ରିଜିଓନାଲ ମ୍ୟାନେଜର ଭଗତ ବେହେରାଙ୍କ ପ୍ରତିକ୍ରିୟା । କହିଲେ- ଆସିଛି ୧୭୬ ବସ୍ତା ଟଙ୍କା । ୪୦ ବ୍ୟାଗରୁ ମିଳିଛି ୪୬ କୋଟି ଟଙ୍କା । ୫୦ ଜଣ ବ୍ୟାଙ୍କ୍ କର୍ମଚାରୀ ୨୫ଟି ମେସିନରେ ଗଣତି କରୁଛନ୍ତି । ଦୁଇଦିନରେ ଟଙ୍କା ଗଣା ଶେଷ ହେବ । ଟଙ୍କା ଗଣିବା ପାଇଁ ଆଖପାଖ ବ୍ୟାଙ୍କରୁ କର୍ମଚାରୀ ଓ ଗଣତି ମେସିନ ଅଣାଯାଇଛି ।
ମଦଭାଟି କାର୍ଯ୍ୟାଳୟ ପରେ ଏବେ ଭାଟି ମାଲିକର ମୁଖ୍ୟ ସହଯୋଗୀ ଘରେ ଚାଲିଛି ଖୋଳତାଡ଼ I ୧୪ ଜଣିଆ ଆୟକର ଟିମ ଚଳାଇଛି ଖୋଳତାଡ଼ I ଦୁଇ ଦିନରେ ୬୦ କୋଟି ଟଙ୍କା ଗଣତି ହୋଇଥିବା ସୂଚନା ମିଳିଛି । ସେପଟେ ବଲାଙ୍ଗୀରରେ ପହଞ୍ଚିଛନ୍ତି ହାଇଦ୍ରାବାଦ ଆୟକର ବିଭାଗର ଆନାଲିସିସ ଟିମ୍ I ଜବତ ଟଙ୍କାକୁ ନେଇ ବଲାଙ୍ଗୀରରେ ଖୋଲତାଡ କରିବ ଟିମ I ୪ରୁ ୫ ଜଣିଆ ଟିମ ଆସିଥିବା ସୂଚନା ମିଳିଛି I ପ୍ରଥମ ଦିନରେ ୨୫୦ କୋଟିରୁ ଅଧିକ ଓ ଗତକାଲି ୫୦ କୋଟି ଟଙ୍କା ଜବତ ହୋଇଥିଲା I ବଲାଙ୍ଗୀରର ବିଭିନ୍ନ ବ୍ୟାଙ୍କରୁ ମେସିନ ଆଣି ଟଙ୍କା ଗଣା ଚାଲିଥିବା ସୂଚନା ମିଳିଛି ।
ସମ୍ବଲପୁରରେ ବି ଚାଲିଛି ଟଙ୍କା ଗଣା
ସେପଟେ ସମ୍ବଲପୁର ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖାରେ ମଧ୍ୟ ଯଙ୍କା ଗଣା ଚାଲିଛି । ଟଙ୍କା ଗଣତି ଲାଗି ଆଉ ଦୁଇଟି ମେସିନ ଅଣାଯାଇଛି । ରୋବଟିକ ମେସିନ ଦ୍ବାରା ଚାଲିଛି ଗଣନା । ମୋଟ ୭ଟି ମେସିନରେ ଟଙ୍କା ଗଣା ଚାଲିଥିବାବେଳେ ନିୟୋଜିତ ଅଛନ୍ତି ୬ ଜଣ କର୍ମଚାରୀ । ଦ୍ବିତୀୟ ଶନିବାର ବ୍ୟାଙ୍କ ଛୁଟିଥିବା ସତ୍ବେ ବି ଚାଲିଛି ଗଣତି । ଆସନ୍ତାକାଲି ବି ଟଙ୍କା ଗଣା କାର୍ଯ୍ୟ ଚାଲିବ ବୋଲି ସୂଚନା ଦେଇଛନ୍ତି ଷ୍ଟେଟବ୍ୟାଙ୍କର ଡେପୁଟି ଜେନେରାଲ ମ୍ୟାନେଜର । କୋଟି କୋଟି ଟଙ୍କା ଥିବାରୁ ଓ ନୋଟ ପୁରୁଣା ହୋଇଥିବାରୁ ଟଙ୍କା ଗଣିବାରେ ସମସ୍ୟା ହେଉଛି ।