ବ୍ଲାକ ଜ୍ୟାକେଟ ପିନ୍ଧି ଆସୁଛନ୍ତି, ଝାମ୍ପି ନେଉଛନ୍ତି ସୁନା ଓ ଭ୍ୟାନିଟି ବ୍ୟାଗ
ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ବ୍ଲାକ୍ ଜ୍ୟାକେଟ୍ ଗ୍ୟାଙ୍ଗ । ଆଖି ପିଛୁଳାକେ ଝାମ୍ପି ନେଉଛନ୍ତି ସୁନା ଓ ଭ୍ୟାନିଟି ବ୍ୟାଗ । ବାଣୀବିହାର, ସହିଦନଗର ଓ ଆଚାର୍ଯ୍ୟ ବିହାର ଛକର ଦୃଶ୍ୟ କ୍ୟାମେରାରେ ହୋଇଛି କଏଦ । ଦେହରେ ବ୍ଲାକ ଜ୍ୟାକେଟ ଓ ନମ୍ବର ପ୍ଲେଟକୁ ଟ୍ୟାମ୍ପର କରିବାକୁ ଲାଗିଛି ବ୍ଲାକଟେପ । ଦାମୀ ବାଇକରେ ଆସି ମହିଳାଙ୍କୁ କରୁଥିଲେ ଟାର୍ଗେଟ୍ ।
ଗତ ସୋମବାର ସନାତନ ନାୟକ, ରଶ୍ମି ରଞ୍ଜନ ନାୟକ, ବୁଲୁ ନାୟକ ଓ ସର୍ବେଶ୍ୱର ଗୋଚ୍ଛାୟତଙ୍କୁ ଗିରଫ କରିଥିଲା ପୋଲିସ । ସ୍ପେଶାଲ ସ୍କ୍ୱାଡ ସହାୟତାରେ ଲୁଟେରାଙ୍କୁ କାବୁ କରିଥିଲା ସହିଦନଗର ଥାନା । ସେମାନଙ୍କ ଠାରୁ ୩୦ଟି ସୁନା ଚେନ, ୩ଟି ବାଇକ ଜବତ କରାଯାଇଥିଲା । ଏହି ଗ୍ୟାଙ୍ଗ ଚୋରି ସୁନାକୁ ବନ୍ଧକ ରଖି ଅୟସ କରୁଥିଲେ । ଅଭିଯୁକ୍ତ ମାନେ ମୁଖ୍ୟତଃ ସପିଂ କମ୍ପ୍ଲେକ୍ସ, ପାର୍କିଂ ପ୍ଲେସକୁ ଟାର୍ଗେଟ କରୁଥିଲେ । ଗତ ୬ ମାସ ଧରି ସେମାନେ ଭୁବନେଶ୍ବରରେ ଲୁଟପାଟ କରୁଥିଲେ । ସୁନା ବନ୍ଧକ ରଖୁଥିବା ସଂସ୍ଥାର କର୍ମଚାରୀଙ୍କୁ ଖୁବଶୀଘ୍ର ତଦନ୍ତ ପରିସରଭୁକ୍ତ କରାଯିବ ।
ପାର୍ବଣ ପୂର୍ବରୁ ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ଆକ୍ସନ ମୋଡରେ କମିଶନରେଟ ପୋଲିସ । ପୂର୍ବରୁ ଇରାନୀ ଗ୍ୟାଙ୍ଗ, ବାଓ୍ବରିଆ ଗ୍ୟାଙ୍ଗ, ଚନ୍ଦନ ଜେନା ଗ୍ୟାଙ୍ଗ, ଅଲ୍ଲୀ ଆଜମ ଗ୍ୟାଙ୍ଗକୁ ଧରିଛି ପୋଲିସ । ରାଜଧାନୀବାସୀଙ୍କ ସୁରକ୍ଷା ପାଇଁ ଏହି ଅଭିଯାନକୁ ଆହୁରି ବ୍ୟାପକ କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।