ସାନଖେମୁଣ୍ଡିରେ ସ୍ୱଚ୍ଛତା ଓ ଶୌଚର ନୂଆ ଫର୍ମୁଲା, ଗାଁ ମୁଣ୍ଡରେ ଲଗାଇଲେ ତୁଳସୀ ଓ ଗୋଲାପ ଗଛ
1 min readସାନଖେମୁଣ୍ଡି : (କାଳୁ ଚରଣ ନାହାକ) ବାହାରେ କେହି ଜଣେ ହେଲେବି ମଳତ୍ୟାଗ କରିବେନି। ଗାଁ ମୁଣ୍ଡ, ରାସ୍ତାକଡ଼ କେଉଁଠି ହେଲେ କାହାକୁ ମଳତ୍ୟାଗ କରୁଥିବା ଦେଖିବାକୁ ମିଳିବନି। ଆଉ ଯଦି ଦେଖିବାକୁ ମିଳିବ, ତାହେଲେ ତାଙ୍କ ଘରକୁ ରାସନ୍ ସାମଗ୍ରୀ ବନ୍ଦ। ମାନେ, ଟଏଲେଟ୍ ନାହିଁ ତ ରାସନ୍ ବି ନାହିଁ। ଗ୍ରାମକୁ ସଂପୂର୍ଣ୍ଣ ମଳମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ଏହି ଅଭିନବ ପ୍ରୟାସ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଗୌତମୀ ପଞ୍ଚାୟତର ଦୁଇଟି ଗାଁ ଗୌତମୀ ଓ ପଦ୍ମତୋଳର ଲୋକେ ଏପରି କଡ଼ା ନିୟମ କରିଛନ୍ତି। କେବଳ ସେତିକି ନୁହେଁ, ରାସ୍ତାକଡ଼ର ସୌନ୍ଦର୍ଯ୍ୟ ବଢ଼ାଇବାକୁ ଅଞ୍ଚଳବାସୀ ନେଇଛନ୍ତି ପ୍ରଶଂସନୀୟ ପଦକ୍ଷେପ ।
ଗାଁ ମୁଣ୍ଡ, ରାସ୍ତାକଡ଼ରେ ସେମାନେ ତୁଳସୀ ଗଛ, ଗୋଲାପ ଗଛ, ଗେଣ୍ଡୁଫୁଲ ଗଛ ଓ ଅନ୍ୟାନ୍ୟ ଔଷଧୀୟ ଓ ବିଭିନ୍ନ ପ୍ରକାରର ଫୁଲଗଛ ଲଗାଇଛନ୍ତି। ଗ୍ରାମବାସୀଙ୍କ ଏ ଅଭିନବ ଉଦ୍ୟମ ଜାଣିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଏହିସବୁ ଗଛ ଯୋଗାଇ ଦିଆଯାଇଛି। ଗୌତମୀ ଓ ପଦ୍ମତୋଳ ଗାଁରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ପାଳିକରି ଜଗୁଛନ୍ତି। ଯେଉଁମାନେ ମଳତ୍ୟାଗ କରୁଛନ୍ତି, ସେମାନେ ଆସି ପଞ୍ଚାୟତକୁ ଖବର ଦେଉଛନ୍ତି। ଏହାପରେ ଆରମ୍ଭ ହେଉଛି କାର୍ଯ୍ୟାନୁଷ୍ଠାନ। ଯେଉଁ ମହିଳାମାନେ ଜଗୁଛନ୍ତି, ସେମାନଙ୍କୁ ବିଭିନ୍ନ ଟାହିଟାପରା ଶୁଣିବାକୁ ପଡୁଛି। କିନ୍ତୁ ଏସବୁ ପ୍ରତି ସେମାନେ ବେଫିକର।
ଗାଁକୁ ପରିଷ୍କାର ପରିଛନ୍ନ ରଖିବା ପାଇଁ ସେମାନେ ମନପ୍ରାଣ ଲଗାଇ ଦେଇଛନ୍ତି। କିଛି ଲୋକେ ଏମିତି ବି ଅଛନ୍ତି, ଯେଉଁମାନଙ୍କ ଘରେ ଟଏଲେଟ୍ ଅଛି, ତଥାପି ସେମାନେ ବାହାରେ ମଳତ୍ୟାଗ କରୁଛନ୍ତି। ଏମିତି ୨୪ ଜଣଙ୍କୁ ଚିହ୍ନଟ କରି ସେମାନଙ୍କ ରାସନ୍ ସାମଗ୍ରୀ ବନ୍ଦ କରାଯାଇଛି। ଉଭୟ ଗାଁର ୨୮୦ ପରିବାରରେ ପାଇଖାନା ନାହିଁ। ଯେଉଁମାନଙ୍କ ପାଇଖାନା ନାହିଁ, ସେମାନଙ୍କୁ ୩ ମାସ ସମୟ ଦିଆଯାଇଛି। ସେମାନଙ୍କ ଘରେ ପାଇଖାନା ତିଆରି ପାଇଁ ୫ଟି ଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ପଞ୍ଚାୟତର ସରପଞ୍ଚ କହିଛନ୍ତି। ତେବେ ବର୍ତ୍ତମାନ ଅସ୍ଥାୟୀ ଭାବେ ସେମାନଙ୍କୁ ଗାଁ ପାଖରେ ସର୍ବସମ୍ମତି କ୍ରମେ ଏକ ଜମି ଯୋଗାଇଦେଇଛନ୍ତି। ')}