ବିମାନ ଭିତରେ ଫଣା ଟେକି ଝୁଲୁଛି ସାପ
ବିମାନ ଭିତରେ ନାଗସାପ । ପାଇଲଟ ମୁଣ୍ଡ ଉପରେ ଫଣା ଟେକି ଝୁଲୁଛି ସାପ । ମଝି ଆକାଶରେ ବିଚଳିତ କଲା ନାଗ ସାପ । ଆମେରିକାର ୱୋରସେଷ୍ଟରରୁ ନେଲସପୁଟକୁ ସୋମବାର ଉଡାଣ ଭରିଥିବା କ୍ଷୁଦ୍ର ଏୟାରକାର୍ଫ୍ଟର କକପିଟରେ ଦେଖିବାକୁ ମିଳିଥିଲା ନାଗସାପ । ନାଗସାପ ବାହାରିବା ପରେ ପାଇଲଟ ସତକର୍ତାର ସହ ବିମାନ ଅବତରଣ କରିଥିଲେ । ଆଉ ମଝିଆକାଶରେ ସାପକୁ ନେଇ ବିଚଳିତ ହୋଇପଡିଥିବା କର୍ମଚାରୀଙ୍କ ମଧ୍ୟରେ ସମୟଉପଯୋଗୀ ବୁଦ୍ଧି ଖଟାଇ ଚର୍ଚ୍ଚାକୁ ଆସିଛନ୍ତି ପାଇଲଟ ।
ଦକ୍ଷିଣ ଆଫ୍ରିକୀୟ ପାଇଲଟ ରୁଡୋଲ୍ଟ ଇରାସମସଙ୍କୁ ନିଜ ବୁଦ୍ଧିମତା ପାଇଁ ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି । ବିମାନରେ ମୋଟ ୪ ଜଣ ଯାତ୍ରୀ ଥିବାବେଳେ ପାଇଲଟ ପଛ ପାଖ ସିଟରେ କେପ୍ କୋବ୍ରା ଦେଖିଥିଲେ । ସାପର ଆକ୍ରାମଣାତ୍ମକ ରୂପ ଦେଖି ବିମାନରେ ଆତଙ୍କ ଖେଳିଯାଇଥିଲା । ସେପଟେ ପାଇଲଟ ଜଣଙ୍କ ବିଚଳିତ ନହୋଇ ସଠିକ ବୃଦ୍ଧି ପ୍ରୟୋଗ କରିଥିଲେ । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପାଇଲଟ ବିମାନର ଜରୁରୀ ଅବତରଣ କରିଥିଲେ ।
ସୂଚନା ମୁତାବକ ରବିବାର ମଧ୍ୟାହ୍ନରେ ୱେରସେଷ୍ଟର ଏୟାର ଫିଲ୍ଡରେ ବିମାନ ୱିଙ୍ଗତଳେ ବିମାନ କର୍ତ୍ତୁପକ୍ଷ ସାପଟିକୁ ଦେଖିଥିଲେ । ସାପକୁ ଧରିବା ପାଉଁ ଚେଷ୍ଟା କରିବା ପରେ ସେ ଇଞ୍ଜିନ କାଓଲିଙ୍ଗରେ ପଶିଯାଇଥିଲା । କର୍ତ୍ତୁପକ୍ଷ ଇଞ୍ଜିନ କାଓଲିଙ୍ଗ ଖୋଲି ଦେକିବା ପରେ ସାପ ସେଠାରେ ମିଳି ନଥିଲା । ସୋମବାର ବିମାନଟି ଜରୁରୀ ଅବତରଣ କରିବା ପରେ ମଧ୍ୟ ବିମାନ କର୍ତ୍ତୁପକ୍ଷ ସାପଟିକୁ ଖୋଜିଥିଲେ । କିନ୍ତୁ ସାପଟି ମିଳିନଥିଲା । ସେପଟେ ବିମାନରେ କିପରି ସାପ ପଶିଲା, ତାକୁ ନେଇ ତନାଘନା ଆରମ୍ଭ ହୋଇଛି । ବିମାନ ବନ୍ଦରରୁ ସାପଟି ବିମାନରେ ପଶିଥିବା କଥା ଅନୁମାନ କରାଯାଉଛି । ଯେହେତୁ ବିମାନ ବନ୍ଦରରେ ଅଧିକାଂଶ ବୁଦି ବୁଦିକିଆ ଗଛ ରହିଛି, ତେଣୁ ସାପ ଏହି ଅଞ୍ଚଳରେ ଆଗରୁ ଦେଖିବାକୁ ମିଳିଥାଏ ।