ପୁରୀ: ୧୬ ଘଣ୍ଟା ପରେ ବି ଆୟତ୍ତ ହୋଇପାରୁନି ପୁରୀ ମରୀଚିକୋଟ ମାର୍କେଟ କମ୍ଲେକ୍ସରେ ଲାଗିଥିବା ନିଆଁ । ଭୟାବହ ଅଗ୍ନିକାଣ୍ଡରେ ଧ୍ବସ୍ତବିଧ୍ବସ୍ତ ମାର୍କେଟ କମ୍ପ୍ଲେକ୍ସ । ପ୍ରଥମ ଓ ଦ୍ୱିତୀୟ ମହଲାରେ ବ୍ୟାପିଯାଇଛି ନିଆଁ । କାନ୍ଥ ଭାଙ୍ଗି ଭିତରେ ପଶିବାକୁ ଅଗ୍ନିଶମବାହିନୀ ଉଦ୍ୟମ କରୁଥିବା ବେଳେ ଉଦ୍ଧାର କାର୍ଯ୍ୟରେ ବାଧାସୃଷ୍ଟି କରୁଛି ଧୂଆଁ ।
ଅଗ୍ନିକାଣ୍ଡ ସ୍ଥିତି ତଦାରଖ କରୁଛନ୍ତି ଅଗ୍ନିଶମ ଡିଜି। ଏପଟେ ଘଟଣାସ୍ଥଳରେ ପହଞ୍ଚିଛି ସ୍ଥିତି ଅନୁଧ୍ୟାନ କରିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା। ସେ ବରିଷ୍ଠ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଘଟଣାର ସମୀକ୍ଷା କରିଛନ୍ତି।
ଘଟଣାସ୍ଥଳରେ ୧୩ଟି ଅଗ୍ନିଶମ ଗାଡି, ୩ଟି ଆମ୍ବୁଲାନ୍ସ ଓ ହାଇଡ୍ରୋଲିକ ପ୍ଲାଟଫର୍ମ ମୁତୟନ ହୋଇଛି । ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଓ ଅଗ୍ନିଶମବାହିନୀର ପ୍ରାୟ ୧୬୦ କର୍ମଚାରୀ ନିୟୋଜିତ ହୋଇଛନ୍ତି । କମ୍ପ୍ଲେକ୍ସ ଭିତରେ ପ୍ରବଳ ତାତି ଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ପୁରୀ ଏସପିଙ୍କ ସମେତ ବରିଷ୍ଠ ପ୍ରାଶାସନିକ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଗ୍ୟାସ କଟର ଜରିଆରେ ଦୋକାନଗୁଡିକର ସଟର କଟାଯାଉଛି । ସମ୍ରାଟ ହୋଟେଲରେ ଥିବା ୧୧୦ ପର୍ଯ୍ୟଟକଙ୍କୁ ବିଭିନ୍ନ ହୋଟେଲ ଓ ଧର୍ମଶାଳାରେ ପ୍ରଶାସନ ରଖିବାର ବ୍ୟବସ୍ଥା କରିଛି । ଅଗ୍ନିକାଣ୍ଡରେ ୭ କୋଟି ଟଙ୍କାରୁ ଅଧିକ ଟଙ୍କା କ୍ଷତି ଆଶଙ୍କା କରାଯାଉଛି ।

