ଦିବଙ୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସମ୍ମାନର୍ଥେ ଗୃହ ବନ୍ଦ
ଭୁବନେଶ୍ୱର: ଦିବଙ୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସମ୍ମାନରେ ଗୃହ ବନ୍ଦ । ଆସନ୍ତାକାଲି ଅର୍ଥାତ ବୁଧବାର ପୂର୍ବାହ୍ନ ୧୦.୩୦ ଯାଏଁ ଗୃହ ମୁଲତବୀ ଘୋଷଣା କରାଯାଇଛି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ପ୍ରଥମେ ଗହରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ସ୍ୱର୍ଗତ ନବଦାସଙ୍କ ସ୍ମୃତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ନବଦାସଙ୍କ ଦେହାନ୍ତଙ୍କୁ ନେଇ ମର୍ମାହତ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଓଡିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ସ୍ୱର୍ଗତ ଦାସଙ୍କ ଅବଦାନ ଅତୁଳନୀୟ । କୋଭିଡ ମହାମାରୀ ସମୟରେ ଓଡିଶାରେ ଯେପରି ଭାବରେ ପରିଚାଳନା କରିଛନ୍ତି ତାହା ସର୍ବଦା ମନେ ରହିବ । ମେଡିକାଲ କଲେଜ ନିର୍ମାଣ ଠାରୁ କୋଭିଡ ପରିଚାଳନାରେ ନବଦାସଙ୍କ ଭୂମିକା ରାଜ୍ୟବାସୀଙ୍କ ମନରେ ସର୍ବଦା ମନେ ରହିବ ବୋଲି ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ ।
ସେହିପରି ବିରୋଧିଦଳ ନେତା ଏବଂ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶୋକ ପ୍ରସ୍ତାବ ପରେ ଗୃହରେ ସମସ୍ତ ସଦସ୍ୟ ନିରବ ପ୍ରାର୍ଥନା କରିଥିଲେ । ସ୍ୱର୍ଗତ ସଦସ୍ୟଙ୍କ ସ୍ମୃତିଚାରଣ କରିଥିଲେ । ଏହାପରେ ଗୃହକାର୍ଯ୍ୟକୁ ଆଜି ପାଇଁ ସ୍ଥଗିତ ରଖାଯାଇଥିଲା । ସ୍ୱର୍ଗତ ନବକିଶୋର ଦାସଙ୍କ ସମ୍ମାନର୍ଥେ ଆସନ୍ତା କାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିବା ପାଇଁ ଘୋଷଣା କରିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ।