ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା ପରେ ଆତ୍ମହତ୍ୟା କଲେ ମହିଳା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଡୁରୁକୁଳିଆ ଗାଁରେ ଅଭାବନୀୟ ଘଟଣା । ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ମହିଳା । ମୃତ୍ୟୁର କାରଣ ଅସ୍ପଷ୍ଟ । ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ପୋଲିସ୍ । ମୃତ ମହିଳା ହେଲେ ଭୀମସେନ ନାୟକଙ୍କ ସ୍ତ୍ରୀ କ୍ଷଣପ୍ରଭା ନାୟକ । କ୍ଷଣପ୍ରଭା ନିଜର ସାଢ଼େ ୩ ବର୍ଷର ଶିଶୁପୁତ୍ର ଓ ଅନ୍ୟଜଣେ ୨ ବର୍ଷର ଶିଶୁପୁତ୍ରଙ୍କର ତଣ୍ଟିଚିପି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

କ୍ଷଣପ୍ରଭାଙ୍କର ବଡ଼ଝିଅ ଆଜି ସ୍କୁଲରୁ ଫେରି ଘରର କବାଟ ବନ୍ଦ ଥିବା ଦେଖିଥିଲେ । ଅନେକ ବାଡ଼ାଇବା ପରେ କବାଟ ନଖୋଲିବାରୁ ପଡ଼ୋଶୀମାନେ ଘରର ଟାଇଲ୍ ଖୋଲିବା ପରେ ଘଟଣା ଜଣାପଡ଼ିଥିଲା । କ୍ଷଣପ୍ରଭାଙ୍କ ସ୍ଵାମୀ ଭୀମସେନ ଜମିକୁ ଚାଷ କରିବାକୁ ଯାଇଥିବା ବେଳେ, ଶ୍ବଶୁର କେନ୍ଦୁଝର ଯାଇଥିଲେ ଓ ଶାଶୁ ଛେଳି ଚରାଇବାକୁ ଯାଇଥିଲେ । ଖବର ପାଇ ଚମ୍ପୁଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।