ନନ୍ଦିଘୋଷ ବ୍ୟରୋ: ରାତି ଅଧରେ ହଷ୍ଟେଲରେ ଲାଗିଲା ନିଆଁ । ହୁ ହୁ ହୋଇ ଜଳିଲା ପୂରା ହଷ୍ଟେଲ ! ଆଇଆଇଟି ବମ୍ବେର ଏକ ହଷ୍ଟେଲରେ ଗ୍ୟାସ୍ ଲିକ୍ ହେବା ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଘଟଣାରେ ପାଞ୍ଚ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କର ଚିକିତ୍ସା ଚାଲିଛି । ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।
ସୂଚନା ମୁତାବକ, ପଓ୍ବଇର ଆଇଆଇଟି ବମ୍ବେ କ୍ୟାମ୍ପସରେ ଗ୍ୟାସ୍ ଲିକ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । ଗୁରୁବାର ରାତି ପ୍ରାୟ ୧୦ ଟା ୨୪ ମିନିଟରେ ହଷ୍ଟେଲ ନମ୍ବର ୬ରେ ହଠାତ ନିଆଁ ଲାଗିଯାଇଥିଲା । ଆଉ ଧିରେ ଧିରେ ଏହି ନିଆଁ ବ୍ୟାପିବାକୁ ଲାଗିଲା । ଗ୍ୟାସ୍ ସିଲିଣ୍ଡର ଲିକ୍ ହେବା କାରଣରୁ ନିଆଁ ଲାଗିଥିବା ଜଣାପଡିଛି । ଯାହାଫଳରେ ୫ ଜଣ ଗଭୀର ଭାବେ ଆହତ ହୋଇ ଯାଇଥିଲେ । ଆହତଙ୍କ ଭିତରେ ୨ ଜଣ ନାବାଳକ ମଧ୍ୟ ରହିଛନ୍ତି । ଘଟଣା ପରେ ତୁରନ୍ତ ଘଟଣାସ୍ଥଳକୁ ପୋଲିସ ଏବଂ ବିଏମସି ଓ୍ବାର୍ଡ କର୍ମଚାରୀଙ୍କୁ ଡକାଯାଇଥିଲା । ଫଳରେ ନିଆଁକୁ ଆୟତ୍ତ କରାଯିବା ସହ ଏକ ବଡ ଅଘଟଣ ହେବାରୁ ଟଳି ଯାଇଥିଲା । ତୁରନ୍ତ ସମସ୍ତ ଆହତମାନଙ୍କୁ ଚିକିତ୍ସା ପାଇଁ ରାଜାଓ୍ବାଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ଅଧିକ ଚିକିତ୍ସା ପାଇଁ କସ୍ତୁରବା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଯେତେବେଳେ କି ଜଣେ ଆହତ ରାଜାଓ୍ବାଡି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ଘଟଣାରେ ୧୨ ବର୍ଷର ଅଂଶ ଅହିରଓ୍ବାର, ୯ ବର୍ଷୀୟ ତହଜୀବ ଆଲମ, ୩୭ ବର୍ଷୀୟ ଈଶ୍ବର ସିଂହ, ୩୪ ବର୍ଷୀୟ ଶିବକୁମାର ସିଂହ ଏବଂ ୨୩ ବର୍ଷୀୟ ଅନିଲ କୁମାର ଆହତ ହୋଇଛନ୍ତି । ତେବେ ଡାକ୍ତରଙ୍କ କହିବାନୁସାର, ସମସ୍ତ ଆହତଙ୍କ ସ୍ବାସ୍ଥ୍ୟ ବର୍ତ୍ତମାନ ସ୍ଥିର ରହିଛି ।

