ଭାରତକୁ ଖାଦ୍ୟ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିବାରେ କଟକ NRRIର ଭୂମିକା ଗୁରୁତ୍ବପୂର୍ଣ୍ଣ

1 min read

କଟକ: ଭାରତକୁ ଖାଦ୍ୟ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇଛି ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ । ଭାରତୀୟ ଖାଦ୍ୟ ନିରାପତ୍ତା ଓ ଜୀବିକା କ୍ଷେତ୍ରରେ ଏନଆରଆରଆଇର ଗବେଷକମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଟକଠାରେ ଆୟୋଜିତ ଏନଆରଆରଆଇ କଂଗ୍ରେସରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି- ଭାରତର ଅର୍ଥନୀତିରେ ଧାନ ସର୍ବଦା ପ୍ରମୁଖ ଭୂମିକା ନେଇଛି । ଆମ ଐତିହ୍ୟ ଓ ସଂସ୍କୃତିରେ ବି ପ୍ରତିଫଳିତ ହୋଇଆସିଛି ଧାନ । ବେଦ ସମେତ ଅନ୍ୟାନ୍ୟ ଧର୍ମଶାସ୍ତ୍ରରେ ଧାନ ବିଷୟରେ ଉଲ୍ଲେଖ ରହିଛି । ସମୃଦ୍ଧିର ପ୍ରତୀକ ହେଉଛି ଧାନ । ସର୍ବବୃହତ ଶସ୍ୟ ରପ୍ତାନୀକାରୀ ରାଷ୍ଟ୍ର ଭାବେ ଭାରତ ପରିଗଣିତ ହୋଇଛି ଏବଂ ବିଶ୍ବର ବିଭିନ୍ନ ଦେଶକୁ ଶସ୍ୟ ରପ୍ତାନୀ କରିଆସୁଛି ।

ବଙ୍ଗଳାଦେଶ ଦୁର୍ଭିକ୍ଷ ପରେ ପରେ ୧୯୪୬ରେ ପ୍ରତିଷ୍ଠିତ ହୋଇଥିଲା ଏନଆରଆରଆଇ । ସେବେଠାରୁ ଖାଦ୍ୟ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ଲାଗି ଭାରତ ଚେଷ୍ଟିତ ହୋଇଛି । ଚାଷୀଙ୍କ ଜୀବନଜୀବିକା ଲାଗି ପ୍ରମୁଖ ଅବଦାନ ଦେଇଛି ଏନଆରଆରଆଇ । ଜୈବ ବିବିଧତା ଲାଗି ଭାରତ ଖ୍ୟାତି ଅର୍ଜନ କରିଛି । ଭାରତର ପ୍ରତିଟି ଅଞ୍ଚଳରେ ଭିନ୍ନ ଭିନ୍ନ ସ୍ୱାଦର ଧାନ ଚାଷ ହୋଇଥାଏ । ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ଏବେ ଜଳାଭାବ ସମସ୍ୟା ଦେଖାଦେଇଛି । ଜଳବାୟୁ ସମସ୍ୟାରୁ ବନ୍ୟା, ବାତ୍ୟା, ମରୁଡି ଏବେ ଚିର ସହଚର ସାଜିଛି । ଫଳରେ ଧାନ ଚାଷ କଷ୍ଟସାଧ୍ୟ ହେଲାଣି ।

ପାରମ୍ପରିକ ଧାନ ବିହନ ହଜିଯିବାକୁ ବସିଥିବାବେଳେ ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟର ଚାଷୀମାନେ ଏହାର ସଂରକ୍ଷଣ ପ୍ରତି ଗୁରୁତ୍ବ ଦେଇଛନ୍ତି । ପଦ୍ମଶ୍ରୀ କମଳା ପୂଜାରୀଙ୍କ ଉଦାହରଣ ଦେଇ ସେ କହିଛନ୍ତି- ସେ ଶତାଧିକ ପ୍ରକାର ବିରଳ ଧାନ ଓ ଅନ୍ୟାନ୍ୟ ବିହନ ସଂଗ୍ରହ କରିଛନ୍ତି । ବର୍ତ୍ତମାନ ପାରମ୍ପରିକ ବିହନର ସଂରକ୍ଷଣ ଲାଗି ଆହ୍ବାନ ଆସିଛି । ଏହା ସହ ପରିବେଶଗତ ଭାରସାମ୍ୟ ରକ୍ଷା କରିବାର ଆବଶ୍ୟକତା ରହିଛି । ଏକ୍ଷେତ୍ରରେ ଏନଆରଆରଆଇର ବୈଜ୍ଞାନିକମାନେ ପ୍ରମୁଖ ଭୂମିକା ନେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ରାସାୟନିକ ସାରର ପ୍ରଭାବରୁ ମାଟିର ସୁରକ୍ଷା କରିବାର ଆବଶ୍ୟକତା ରହିଛି । ପରିବେଶ ଅନୁକୂଳ ଧାନ ଚାଷ ପ୍ରତି ଅଧିକ ଗୁରୁତ୍ବ ଦେବା ଦରକାର ।

ସମାଜର ଆର୍ଥିକ ଦୁର୍ବଳ ବର୍ଗର ଲୋକମାନେ ଧାନ ଉପରେ ନିର୍ଭର କରନ୍ତି । ପୁଷ୍ଟିହୀନତା ବିରୋଧରେ ମୁକାବିଲା କରିବାର ସାମର୍ଥ୍ୟ ଧାନ ନିକଟରେ ହିଁ ରହିଛି । ଏନେଇ ଗବେଷକମାନେ ଦେଶର ପ୍ରଥମ ସର୍ବାଧିକ ପ୍ରୋଟିନଯୁକ୍ତ ସିଆର ଧାନ ୩୧୦ ଓ ସେହିପରି ହାଇଜିନିକ ଭେରାଇଟ ସିଆର ଧାନ ୩୧୫ କୁ ଗବେଷଣାଗାରରେ ବିକଶିତ କରାଯାଇଛି । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା କ୍ଷେତ୍ରରେ ଗବେଷକଙ୍କ ଏହି ଉଦ୍ୟମ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।