ଚୀନ ଲିଙ୍କ ଅଭିଯୋଗ: ଭାରତରେ ୧୩୮ଟି ବେଟିଂ ଆପ୍ ଓ ୯୪ଟି ଲୋନ୍ ଲେଣ୍ଡିଂ ଆପ୍ ବ୍ୟାନ ଓ ବ୍ଲକ ପ୍ରକ୍ରିୟା ଆରମ୍ଭ
1 min readନୂଆଦିଲ୍ଲୀ: ଚୀନ ବିରୋଧରେ ଭାରତର ବଡ଼ ପଦକ୍ଷେପ । ଚୀନ୍ ଅନଲାଇନ୍ ଆପଗୁଡିକୁ ଭାରତର ତରଫରୁ ଲାଗିଛି ଜୋରଦାର ଝଟକା । ଏକାବେଳେ ୨୩୨ ଆପ୍ ବ୍ୟାନ କିମ୍ବା ବ୍ଲକ କରିବାକୁ ଭାରତ ଆରମ୍ଭ କଲା ପଦକ୍ଷେପ । ଏଥିରେ ରହିଛି ୧୩୮ଟି ବେଟିଂ ଆପ୍ ଓ ୯୪ଟି ଲୋନ୍ ଲେଣ୍ଡିଂ ଆପ୍ । ଏ ସବୁ ଆପର ଚୀନ ଲିଙ୍କ୍ ଥିବାରୁ ଜରୁରୀକାଳୀନ ଭିତ୍ତିରେ ପଦକ୍ଷେପ ନେବା ଆରମ୍ଭ କରିଛି ଭାରତ । ଏ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟଠାରୁ ନିର୍ଦ୍ଦେଶ ପାଇବା ପରେ କେନ୍ଦ୍ର ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।
ଗତ ୬ ମାସ ତଳେ କେନ୍ଦ୍ର ଗୃହ ମନ୍ତ୍ରାଳୟ ୨୮ଟି ଚାଇନିଜ ଲୋନ୍ ଲେଣ୍ଡିଂ ଆପ୍ ଚିହ୍ନଟ କରି ତାହାର ସମୀକ୍ଷା କରିଥିଲା । ମାତ୍ର ପରେ ଜଣାପଡିଥିଲା ଯେ ଇ-ଷ୍ଟୋରରେ ୯୪ଟି ଲୋନ ଲେଣ୍ଡିଂ ଆପ୍ ରହିଛି ଓ ସେଗୁଡ଼ିକ ତୃତୀୟ ପକ୍ଷ ଲିଙ୍କରେ କାର୍ଯ୍ୟକାରୀ ହୋଇଥାଏ । ଏହି ବିପଦଜନକ ଆପଗୁଡିକ ଜରିଆରେ ବ୍ୟକ୍ତି ବିଶେଷଙ୍କୁ ବ୍ଲାକମେଲ କରାଯାଇଥାଏ । ସେମାନଙ୍କ ବହୁ ଗୋପନ ତଥ୍ୟ ହାସଲ କରାଯାଇଥାଏ ।
ତଦନ୍ତରୁ ଜଣାପଡିଛି, ବହୁ ଗୁପ୍ତଚର ଭିତ୍ତିକ କାର୍ଯ୍ୟରେ ଏହି ଆପଗୁଡିକୁ ବ୍ୟବହାର କରାଯାଇ ଭାରତୀୟମାନଙ୍କୁ ବିପଦରେ ପକାଯାଇଥାଏ । ଏହି ଆପଗୁଡିକ ବିରୋଧରେ ପଦକ୍ଷେପ ନେବା ଲାଗି ଭାରତର ବହୁ ରାଜ୍ୟ ପକ୍ଷରୁ କେନ୍ଦ୍ର ଗୃହ ନିକଟରେ ଦାବି କରାଯାଇଥିଲା । ଚାଇନିଜ ଆପ୍ ଜରିଆରେ ଲୋନ ନେଉଥିବା ଲୋକଙ୍କୁ ବିଭିନ୍ନ ଉପାୟରେ ହଇରାଣ କରାଯାଇଥାଏ ଓ ଏପରିକି ବାର୍ଷିକ ୩ ହଜାର ପ୍ରତିଶତ ହାରରେ ସୁଧ ଆଦାୟ କରାଯାଇଥାଏ ।