ସମ୍ମାନ ପାଇଁ ଲଢ଼ୁଥିବା ନ୍ୟୁଜିଲାଣ୍ଡର ଶୋଚନୀୟ ପରାଜୟ: ୯୦ ରନରେ ୩ୟ ଦିନିକିଆ ଜିତିଲା ଟିମ୍ ଇଣ୍ଡିଆ
1 min readଇଣ୍ଡୋର: ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଦିନିକିଆ ମ୍ୟାଚ୍ ଜିତିଲା ରୋହିତ ବାହିନୀ । ଇନ୍ଦୋରରେ ଚାଲିଥିବା ଏହି ମ୍ୟାଚକୁ ୯୦ରନରେ ଜିତିନେଇଛି ଭାରତ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୮୫ ରନ୍ କରିଥିଲା । ନ୍ୟୁଜିଲାଣ୍ଡ ୩୮୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୪୧.୨ ଓଭରରେ ନିଜର ସମସ୍ତ ୱିକେଟ୍ ହରାଇ ୨୯୫ରନରେ ସୀମତି ରହିଥିଲା । ଏହି ତୃତୀୟ ମ୍ୟାଚ୍ ନିଜ ସମ୍ମାନ ପାଇଁ ଲଢ଼ୁଥିଲା ଭ୍ରମଣକାରୀ କିୱି ଦଳ । ଭାରତ ଏହି ବିଜୟ ସହ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ୩-୦ରେ କ୍ଲିନ ସ୍ୱିପ୍ କରିଛି । ଆଜିର ମ୍ୟାଚରେ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଶତକୀୟ ପାରି ଖେଳିଥିଲେ ।
ଆଜି ଟସ୍ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଆହ୍ୱାନକ୍ରମେ ଟିମ୍ ଭାରତ ବ୍ୟାଟିଂ କରିଥିଲା । ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍ ପଡ଼ିଆକୁ ଓହ୍ଲାଇଥିଲେ । ଏହି ଦୁଇ ପ୍ରାରମ୍ଭିକ ଯୋଡ଼ି ଦମଦାର ପ୍ରଦର୍ଶନ କରିଥିଲେ । ଦୁଇ ଓପନ ଶତକୀୟ ଇନିଂସ ଖେଳିଥିଲେ । ଦଳୀୟ ସ୍କୋର ୨୧୨ ଥିବା ବେଳେ ଭାରତକୁ ପ୍ରଥମ ଝଟକା ଲାଗିଥିଲା । ରୋହିତ ଶର୍ମା ୧୦୧ ରନ କରି ପାଭେଲିଅନ୍ ଫେରିଯାଇଥିଲେ । ସେହିପରି ଶୁଭମନ ଗିଲ୍ ୧୧୨ ରନ୍ କରି ଆଉଟ୍ ହୋଇଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିରାଟ କୋହଲି ୩୬ ରନ୍ କରିଥିଲେ, ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତତମ ୫୪ ରନ୍ ଓ ଶ୍ରାଦ୍ଧୁଳ ଠାକୁର ୨୫ ରନ୍ କରିଥିଲେ ।
ନ୍ୟୁଜିଲାଣ୍ଡ ପକ୍ଷରୁ ଜାକୋବ ଡଫି ଏବଂ ବ୍ଲେୟାର ଟିକ୍ନର ତିନୋଟି ଲେଖାଏଁ ୱିକେଟ୍ ଅକ୍ତାଆର କରିଥିବା ବେଳେ ମାଇକେଲ ବ୍ରେସୱେଲ୍ ଗୋଟିଏ ୱିକେଟ୍ ହାସଲ କରିଥିଲେ । ୩୮୬ ରନର ପିଛା କରି ନ୍ୟୁଜିଲାଣ୍ଡର ଫିନ୍ ଆଲେନ ଏବଂ ଦେଭୋନ କନୱେ କ୍ରୀଜକୁ ଓହ୍ଲାଇଥିଲେ । ଫିନ୍ ଆଲେନ ଖାତା ଖୋଲି ନପାରି ପାଭେଲିଅନ୍ ଫେରିଯାଇଥିଲେ । ହେଲେ ଦେଭନ କନୱେ ଦଳୀୟ ସ୍ଥିତିକୁ ମଜବୁତ କରିତିଲେ । ୧୦୦ ଟି ବଲରେ ସେ ୧୩୮ ରନର ଏକ ଦମଦାର ଇନିଂସ ଖେଳିଥିଲେ । ଉମ୍ରାନ ମଲିକଙ୍କ ଓଭରରେ ସେ କ୍ୟାଚ ଆଉଟ୍ ହୋଇଯାଇଥିଲେ ।
ସେହିପରି ଅନ୍ୟମାନଙ୍କ ମଧ୍ୟରେ ହେନରି ନିକୋଲ୍ସ ୪୨ ରନ୍ କରିଥିବା ବେଳେ ଡାରିଲ ମିଚେଲ ୨୪ ରନ୍, ମାଇକେଲ ବ୍ରେସୱେଲ୍ ୨୬ ରନ୍ ଏବଂ ମାଇକେଲ ସାଣ୍ଟନର ୩୪ ରନ୍ କରିଥିଲେ । ଦଳ ୪୧.୨ ଓଭର ଚାଲିଥିବା ବେଳେ ନିଜର ସମସ୍ତ ୱିକେଟ୍ ହରାଇ ୨୯୫ ରନରେ ସୀମିତ ରହିଥିଲା । ଭାରତ ପକ୍ଷରୁ ଶ୍ରାଦ୍ଧୁଲ ଠାକୁର ଓ କୁଲଦୀପ ଯାଦବ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଯୁଜବେନ୍ଦ୍ର ଚହଲ ୨ଟି ୱିକେଟ୍, ହାର୍ଦ୍ଦିକ ପାଣ୍ଡ୍ୟା ଓ ଉମ୍ରାନ ମଲ୍ଲିକ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।