ଡିଗ୍ରୀଧାରୀଙ୍କୁ ମିଳିବନି ଚାକିରି, ସବୁ ଚାକିରି ଖାଇଯିବ ରୋବୋଟ୍‌

1 min read

ଧିରେ ଧିରେ ଚାକିରି ସମସ୍ୟା ବଢ଼ି ବଢ଼ି ଚାଲିଛି । ଯ଼ୁବପିଢ଼ି ମନରେ ଆଶଙ୍କା । ପଢ଼ା ସରିଲା ପରେ ଯୋଗ୍ୟତା ଅନୁସାରେ ଚାକିରିଟିଏ ମିଳିବତ ? ଅଭିଭାବକଙ୍କ ମନରେ ମଧ୍ୟ ଏହାକୁ ନେଇ ଚିନ୍ତା । ଦେଶର ଆର୍ଥିକ ସ୍ଥିତି ମଜବୁତ୍‌ ହେଉଛି । ତା ସହିତ ତାଳ ଦେଇ ବେକାରୀ ସଂଖ୍ୟା ବି ବଢ଼ୁଛି । ୪୫ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି ନିଯୁକ୍ତି ହାର । ଏହି ହାର ଆଗକୁ ଆହୁରି କମିବ । କର୍ମକ୍ଷେତ୍ରରେ ମାନବର ସ୍ଥାନ ନେଇଯିବ ରୋବଟ୍‌ । ଶ୍ରମରୁ ସେବା କ୍ଷେତ୍ର, ଫାଇଲ ଚାଷରୁ ପ୍ରଯ଼ୁକ୍ତି ବିଜ୍ଞାନ ଯାଏ ସବୁଠି ଅଧିକରୁ ଅଧିକ ରୋବଟ୍‌ ଦେଖିବାକୁ ମିଳିବ ।

ଚୀନରେ ବହୁ କମ୍ପାନୀ ଏବେ ରୋବଟ୍‌ ତିଆରି କରୁଛନ୍ତି ଯାହା ମଣିଷ ଜାଗାରେ ନିୟୋଜିତ ହେବ । ସବୁଠାରୁ ବଡ଼ କଥା ହେଲା ଏହି ରୋବଟ୍‌ ଗୁଡ଼ିକର ଦାମ୍‌ ପୂର୍ବାପେକ୍ଷା ବହୁତ କମ୍‌ ରହିବ । ମାନବ ସମ୍ବଳକୁ କାମରେ ଲଗାଇବା ପରିବର୍ତ୍ତେ କମ୍ପାନୀଗୁଡ଼ିକ ଏହିସବୁ ରୋବଟ୍‌କୁ ବ୍ୟବହାର କରିବେ । ରୋବଟ୍‌ ଜରିଆରେ ଅଧିକ ଉତ୍ପାଦନ ସହ ଅର୍ଥ ରୋଜଗାର କରିପାରିବେ । ଇଂଲଣ୍ଡର ରୋବଟିକ୍ସ କମ୍ପାନୀ ଜିୟୋମିକ୍‌ ଏକ ରୋବଟ୍‌ ତିଆରି କରୁଛି ଯାହାର ନାମ ରଖାଯାଇଛି ‘ଭର୍ଚୁଆଲ ଫ୍ରେଣ୍ଡ’ । ଠିକ୍‌ ମଣିଷ ଭଳି ଦିଶୁଥିବା ଏହି ରୋବଟ୍‌ର ଚାହିଦା ବହୁ ଅଧିକ ରହିବ ବୋଲି କମ୍ପାନୀ ଦାବି କରୁଛି । ଏହି ରୋବଟ୍‌ ସଂକ୍ରାନ୍ତୀୟ ତଥ୍ୟ ଅତି ଗୁପ୍ତ ରଖାଯାଇଛି । ବଜାରକୁ ଏହି ରୋବଟ୍‌ ଆସିଲେ ବହୁ ଚାକିରି ଯିବାର ଆଶଙ୍କା କରାଯାଉଛି ।

ତେବେ ୨୦୦୦ରୁ ଏଯାଏଁ ୧.୭ ମିଲିଅନ ଚାକିରି ଖାଇସାରିଛି ରୋବଟ୍‌ । ୨୦୩୦ ବେଳକୁ ନିର୍ମାଣ କ୍ଷେତ୍ରର ୨୦ ମିଲିଅନ ଚାକିରି ରୋବଟ୍‌ ନେଇଯାଇଥିବ ବୋଲି ଅକ୍ସଫୋର୍ଡ ଇକୋନୋମିକ୍ସ ଭବିଷ୍ୟବାଣୀ କରିଛି । ୨୦୩୦ ବେଳକୁ କେବଳ ଚୀନରେ ୧୪ ମିଲିଅନ ରୋବଟ୍‌ କାମ କରୁଥିବା ଦେଖିବାକୁ ମିଳିବ । ଚୀନ ତିଆରି ରୋବଟ୍‌ ସାରା ବିଶ୍ବରେ କାୟା ମେଲାଇ ସାରିଥିବ । ଅଧିକରୁ ଅଧିକ କମ୍ପାନୀ ରୋବଟ୍‌ ଉପରେ ଆସ୍ଥା ସ୍ଥାପନ କରୁଥିବାରୁ ଆଗାମୀ ଦିନରେ କର୍ମକ୍ଷେତ୍ରରେ ମାନବ ଜାଗାରେ ଏହି ଯନ୍ତ୍ର ମାନବକୁ ଦେଖିବାକୁ ମିଳିବ । ଏହାଯୋଗୁଁ ବିଶ୍ବର ଜିଡିପି ବଢ଼ିଥିବ କିନ୍ତୁ ମାନବ ସମ୍ବଳ ସଂକୁଚିତ ହୋଇଥିବ ।

– ବିନୋଦିନୀ ରାଉଳ

')}

Leave a Reply