ଶ୍ରୀଲଙ୍କା ବିପକ୍ଷ ଶେଷ ଦିନିକିଆରେ ୪୬ତମ ଶତକ ଲଗାଇଲେ ବିରାଟ କୋହଲି
ତିରୁଅନନ୍ତପୁରମ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ ତିରୁଅନନ୍ତପୁରମର ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି । ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଜିର ମ୍ୟାଚରେ ଶ୍ରୀଲଙ୍କା ଏବଂ ଭାରତ ଦୁଇଟି ପରିବର୍ତ୍ତନ କରିଛନ୍ତି । ପ୍ରଥମେ ବ୍ୟାଟିଂ କରିବାକୁ କ୍ରୀଜକୁ ଓହ୍ଲାଇଥିବା ଭାରତର ଦୁଇ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ ଚମତ୍କାର ଆରମ୍ଭ କରିଥିଲେ । ଉଭୟ ୯୫ରନର ପାର୍ଟନରସିପ୍ କରିଥିଲେ ।
ଏହାପରେ ୪୨ ରନ୍ କରି ଅଧିନାୟକ ରୋହିତ ଶର୍ମା ପାଭେଲିଅନ୍ ଫେରିଯାଇଥିଲେ । କିନ୍ତୁ ଏହାପରେ ବିରାଟ କୋହଲି ଏବଂ ଶୁଭମନ ଗିଲଙ୍କ ମଧ୍ୟରେ ଭଲ ପାର୍ଟନରସିପ୍ ସୃଷ୍ଟି ହୋଇଥିଲା । ଦ୍ୱିତୀୟ ୱିକେଟ୍ ପାଇଁ ଉଭୟଙ୍କ ଶତକୀୟ ପାର୍ଟନରସିପ୍ ଭାରତୀୟ ଦଳକୁ ଏକ ଭଲ ସ୍ଥିତିରେ ପହଞ୍ଚାଇଥିଲା । ୧୧୬ ରନ୍ କରି ଶୁଭମନ ଗିଲ୍ ପାଭେଲିଅନ୍ ଫେରିଯାଇଥିଲା । ଶୁଭମନ ଗିଲଙ୍କ ପରେ ବିରାଟ କୋହଲି ମଧ୍ୟ ଶତକ କରିଛନ୍ତି । ୮୫ଟି ବଲରୁ ଏହି ଶତକ ସେ ହାସଲ କରିଛନ୍ତି । ଏହା ତାଙ୍କର ୪୬ତମ ଦିନିକିଆ ଶତକ ଅଟେ । ସେହିପରି ଅନ୍ତର୍ଜାତୀୟ କ୍ୟାରିୟରର ଏହା ୭୪ତମ ଶତକ । ଏହା ପୂର୍ବରୁ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ମଧ୍ୟ ଶତକ ମାରିଥିଲେ ।
ଶ୍ରେୟସ ଆୟର ୩୨ ଟି ବଲ୍ ଖେଳି ୩୮ ରନ୍ କରି କ୍ୟାଚ୍ ଆଉଟ୍ ହୋଇ ପାଭେଲିଅନ୍ ଫେରିଯାଇଥିଲେ । ତାଙ୍କ ସ୍ଥାନରେ କେଏଲ ରାହୁଲ କ୍ରୀଜକୁ ଓହ୍ଲାଇଥିଲେ । ସେ ମଧ୍ୟ ୬ ଟି ବଲରେ ୭ ରନ୍ କରି ଆଉଟ୍ ହୋଇଯାଇଛନ୍ତି । ବିରାଟ କୋହଲି ୧୦୩ଟି ବଲରେ ୧୪୭ ରନ କରି ଦଣ୍ଡାୟମାନ ରହିଛନ୍ତି । ଅନ୍ୟପକ୍ଷରେ ସୂର୍ଯକୁମାର ଯାଦବ କେଏଲ ରାହୁଲଙ୍କ ସ୍ଥାନ ପୂରଣ କରିବାକୁ ଆସିଛନ୍ତି । ୪୮ ଓଭର ଶେଷ ସୁଦ୍ଧା ଦଳ ୪ ୱିକେଟ୍ ବିନିମୟରେ ୩୬୫ ରନ୍ କରିଛି ।