ହିନ୍ଦୀରେ ଦମନ ଦେଖିବେ ଦର୍ଶକ, ଫିଲ୍ମ ଦେଖିବାକୁ ଅଜୟ ଦେବଗନଙ୍କ ଅପିଲ୍
ଭୁବନେଶ୍ବର: ଜବ ବଢେଗା ଏକ କଦମ ବଦଲାବ କି ତରଫ ତବ ବନେଗି ନୟି ମିଶାଲ୍ । ଏହା କୌଣସି ହିନ୍ଦୀ ଫିଲ୍ମର ଦମଦାର ଡାଇଲଗ ନୁହେଁ । ବରଂ ଓଡିଆ ଫିଲ୍ମ ଦମନ ପାଇଁ ଆକ୍ସନ ହିରୋ ଅଜୟ ଦେବଗନଙ୍କ ପ୍ରଂଶସା । କାହାଣୀର ପ୍ରତିଟି ଚରିତ୍ରର ପ୍ରଶଂସାରେ ବଲିଉଡ ସିଙ୍ଘମ । ଖାସ ସେଇଥିପାଇଁ ତ ଟ୍ବିଟ କରି ଫିଲ୍ମ ଦେଖିବାକୁ ଅପିଲ୍ କରିସାରିଲେଣି ଅଜୟ ।
କେବଳ ସିଙ୍ଘମ ନୁହେଁ ଦମନର ପ୍ରଶଂସାରେ ବିଦ୍ୟୁତ ଜମ୍ବାଲ । ବିଦ୍ୟୁତ ଟ୍ବିଟ କରି କହିଛନ୍ତି ଉମିଦ କି ବେମିସାଲ କାହାନୀ । ଏକ ଆଶା ଭିତରେ ଶାନଦାର କାହାଣୀକୁ ନେଇ ଆଧାରିତ ‘ଦମନ’ ଦେଖିବାକୁ ଦର୍ଶକଙ୍କୁ ଅପିଲ୍ କରିଛନ୍ତି ବିଦ୍ୟୁତ୍ ।
ଆସନ୍ତା ଫେବୃଆରୀ ୩ରେ ହିନ୍ଦୀରେ ରିଲିଜ ହେବ ଓଡିଆ ଫିଲ୍ମ ଦମନ । ଆଜି ଫିଲ୍ମର ଟ୍ରେଲର ହିନ୍ଦୀରେ ରିଲିଜ ହୋଇଥିବାବେଳେ ଖବର ଲେଖାହେବା ସୁଦ୍ଧା ୬୩ ହଜାର ଦର୍ଶକ ଦେଖିସାରିଲେଣି ।
ଟ୍ରେଲର ରିଲିଜ ପରେ ସୋସିଆଲ ମିଡିଆରେ ଛୁଟୁଛି ପ୍ରଶଂସାର ସୁଅ । କିଏ ବାବୁସାନଙ୍କ ପ୍ରଶଂସାରେ ତ ପୁଣି କିଏ ଦମନ ଚଳଚ୍ଚିତ୍ରର ପ୍ରଂଶସାରେ । ପୁଣି କିଏ ଭିନ୍ନ କାହାଣୀ ଓ ବାସ୍ତବବାଦୀ ଫିଲ୍ମ ପାଇଁ ନିର୍ଦ୍ଦେଶକଙ୍କୁ ସବୁ ଶ୍ରେୟ ଦେବାକୁ ଭୁଲି ନାହିଁ । ଦମନକୁ ଆଶାଠୁ ଅଧିକ ଭଲପାଇବା ମିଳିବା ପରେ ହିନ୍ଦୀରେ ରିଲିଜ କରିବା ପାଇଁ କିଛି ଦିନ ପୂର୍ବେ ପ୍ରଯୋଜକ ଓ ନିର୍ଦ୍ଦେଶକ ଚିନ୍ତା କରିଥିଲେ । ଯାହାର ଦାୟିତ୍ବ ନେଇଥିଲା ପାନୋରମା ଷ୍ଟୁଡିଓ । ନିକଟରେ ଷ୍ଟୁଡିଓ ସହ ଚୁକ୍ତିନାମା ହୋଇଥିବା ବି ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା ଓ ବିଶାଲ ମୌର୍ଯ୍ୟ ସୂଚନା ଦେଇଥିଲେ ।
ଗତବର୍ଷ ଜନ ଆନ୍ଦୋଳନ ତିଆରି କରି ଟ୍ରାକକୁ ଫେରିଥିଲା ଓଡିଆ ଫିଲ୍ମ ଦମନ । କେବଳ ଓଡିଶା ନୁହେଁ ସାରା ବିଶ୍ବ ‘ଦମନ‘ ମାୟାରେ ହୋଇଥିଲା ବାୟା । ଜାତୀୟ ଓ ଆନ୍ତର୍ଜାତିକ ପ୍ରଯୋଜକ ଓ ଦର୍ଶକ ମଧ୍ୟ ଦମନକୁ ବାଃ ବାଃ କହିବାକୁ ପଛାଇ ନଥିଲେ। ପ୍ୟାନ୍ ଇଣ୍ଡିଆର ଚର୍ଚ୍ଚିତ ଚଳଚ୍ଚିତ୍ର ଭାବେ ଉଭା ହୋଇଥିଲା ଓଡିଆ ଫିଲ୍ମ ଦମନ । ଉଜ୍ଳଳ ସମ୍ଭାବନା ଭିତରେ ଫିଲ୍ମଟିକୁ ହିନ୍ଦୀରେ ରିଲିଜ କରିବା ପାଇଁ ନିର୍ମାତା ଯେଉଁ ପଦକ୍ଷେପ ନେଇଥିଲେ ଟ୍ରେଲର ରିଲିଜ ପରେ ଆଜି ତାହା ବାରି ହୋଇପଡୁଛି।