ଶ୍ରୀଲଙ୍କା ଆଗରେ ୩୭୪ ରନର ଲକ୍ଷ୍ୟ; ବିରାଟଙ୍କ ୪୫ତମ ଦିନିକିଆ ଶତକ, ରୋହିତ-ଗିଲଙ୍କ ଅର୍ଦ୍ଧଶତକ

ଗୌହ୍ୱାଟୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଗୌହ୍ୱାଟୀରେ ଖେଳାଯାଉଛି । ଟସ୍ ଜିତି ଶ୍ରୀଲଙ୍କା ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ବିନିମୟରେ ୩୭୩ ରନ୍ ସଂଗ୍ରହ କରିଛି । ଶ୍ରୀଲଙ୍କାକୁ ଜିତିବାକୁ ହେଲେ ନିର୍ଦ୍ଧାରିତ ୫୦ ଓଭରରେ ୩୭୪ ରନର ବିଜୟ ଲକ୍ଷ୍ୟକୁ ହାସଲ କରିବାକୁ ହେବ । ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ ଦମଦାର ପ୍ରଦର୍ଶନ କରିଥିଲେ । ପ୍ରାରମ୍ଭିକ ଦୁଇ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ କରିଥିବା ବେଳେ ବିରାଟ କୋହଲି ଶତକ ଲଗାଇଛନ୍ତି ।

ଦିନିକିଆରେ କୋହଲିଙ୍କର ଏହା ୪୫ତମ ଶତକ ଅଟେ । ସେହିପରି ଅନ୍ତର୍ଜାତୀୟ କ୍ରିକେଟରେ ୭୩ତମ ଶତକ ଲଗାଇଛନ୍ତି । ଶ୍ରୀଲଙ୍କା ପାଇଁ କସୁନ ରଜିଥା ସବୁଠୁ ଅଧିକ ୩ଟି ୱିକେଟ୍ ଅକ୍ତିଆର କରିଛନ୍ତି । ଦିଲଶାନ ମଦୁଶଙ୍କା, ଚମିକା କରୁଣାରତ୍ନେ, ଦାସୁନ ଶନକା ଏବଂ ଧନଞ୍ଜୟ ଡିସିଲଭା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ ପ୍ରଥମ ୱିକେଟ୍ ପାଇଁ ୧୪୩ରନର ପାର୍ଟନରସିପ୍ କରିଥିଲେ । ରୋହିତ ୬୭ ବଲରେ ୮୩ ରନ୍ କରିଥିବା ବେଲେ ଗିଲ୍ ୬୦ ବଲରେ ୭୦ ରନ୍ କରିଥିଲେ । ଦୁଇ ବ୍ୟାଟ୍ସମ୍ୟାନ ଆଉଟ୍ ହେବା ପରେ ଦଳୀୟ ସ୍ଥିତି ବିରାଟ କୋହଲି ସମ୍ଭାଳିଥିଲେ ।

କୋହଲି ଶ୍ରେୟସ ଆୟର (୨୪ ବଲରେ ୨୮ରନ୍)ଙ୍କ ସହ ତୃତୀୟ ୱିକେଟ୍ ପାଇଁ ୪୦ ଏହଂ କେଏଲ ରାହୁଲଙ୍କ ସାଙ୍ଗରେ ଚତୁର୍ଥ ୱିକେଟ୍ ପାଇଁ ୯୦ ରନର ପାର୍ଟନରସିପ୍ କରିଥିଲେ । ରାହୁଲ ୨୯ ବଲରେ ୩୯ ରନ୍ କରି ଆଉଟ୍ ହୋଇଯାଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା (୧୨ ବଲରେ ୧୪ ରନ୍) ଏବଂ ଅକ୍ଷର ପଟେଲ (୯ବଲରେ ୯ ରନ୍) କିଛି ଖାସ୍ କମାଲ ଦେଖାଇ ପାରିନଥିଲେ । ବିରାଟ କୋହଲି ୪୯ ତମ ଓଭର ଚାଲିଥିବା ବେଳେ ୮୭ ଟି ବଲରେ ୧୧୩ ରନ୍ କରି ରଜିଥାଙ୍କ ବଲରେ କ୍ୟାଚଆଉଟ୍ ହୋଇଯାଇଥିଲେ । ମହମ୍ମଦ ଶାମୀ ୩ ରନ୍ ଏବଂ ମହମ୍ମଦ ସିରାଜ ୭ ରନ୍ କରି ଅପରାଜିତ ରହିଥିଲେ ।