ପଦମପୁରରେ ଭୋଟିଂ ଜାରି: ଅପରାହ୍ନ ୩ ଟା ସୁଦ୍ଧା ୬୫.୨୮ ପ୍ରତିଶତ ମତଦାନ

ଭୋଟ ଦେଉଛି ପଦମପୁର।ନେତାଙ୍କୁ ବାଛୁଛନ୍ତି ପଦମପୁରବାସୀ । ଦିନ ୩ଟା ସୁଦ୍ଧା ୬୫.୨୮% ମତଦାନ ହୋଇଛି । ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ମତଦାନ । ପଦମପୁର ଉପନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହନୀ ସୂଚନା ଦେଇଛନ୍ତି । ସକାଳେ ୮ଟି ଇଭିଏମ୍‌ରେ ତ୍ରୁଟି ଦେଖାଦେଇଥିଲା। ସେ ସବୁକୁ ବଦଳାଇ ଦିଆଯାଇଛି । ଆଉ ୩ଟି ଇଭିଏମ୍‌ ଦେଖା ଦେବାରୁ ନୂଆ ଇଭିଏମ୍‌ ବଦଳାଯାଇଛି ।

ଶାନ୍ତିଶୃଙ୍ଖଳା ସହ ଭୋଟଗ୍ରହଣ ଚାଲିଥିବା ସିଇଓ ସୂଚନା ଦେଇଛନ୍ତି। ମୋଟ୍‌ ୩୧୯ଟି ବୁଥରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ୨ଲକ୍ଷରୁ ଅଧିକ ଭୋଟର । ଦୃଷ୍ଟିବାଧିତଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ରେଲି ବାଲଟ ବ୍ୟବସ୍ଥା । ଦିବ୍ୟାଙ୍ଗଙ୍କୁ ଭୋଟ୍ ଦେବାକୁ ସେମାନଙ୍କ ଘରୁ ଆଣି ଛାଡ଼ିବା ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଛି ।

ପ୍ରତ୍ୟେକ ବୁଥ ପାଇଁ ୪ ଜଣ ଲେଖାଏଁ ପୋଲିଂ ଅଧିକାରୀଙ୍କୁ ମିଶାଇ ନିର୍ବାଚନମଣ୍ଡଳୀରେ ମୋଟ୍ ୧୨୭୬ ଜଣ ପୋଲିଂ କର୍ମଚାରୀ ନିୟୋଜିତ ଅଛନ୍ତି । ୬ଟି ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ରହିଛନ୍ତି । ନିର୍ବାଚନମଣ୍ଡଳୀରେ ୭୯ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହେଇଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିପରି ୧୨୦ଟି ସମ୍ବେଦନଶୀଳ ବୁଥରେ ହୋଇଛି ଓ୍ବେବକାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି କ୍ୟାମେରା ବ୍ୟବସ୍ଥା ।

୯୧ ଜଣ କେନ୍ଦ୍ରୀୟ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ହୋଇଛନ୍ତି । ବରଗଡ଼ ଜିଲ୍ଲା ମାଓପ୍ରବଣ ହୋଇଥିବାରୁ ୧୪୧୩ ପୋଲିସ ଅଧିକାରୀଙ୍କ ସମେତ ୯ କମ୍ପାନୀ ସଶସ୍ତ୍ର କେନ୍ଦ୍ରୀୟ ପୋଲିସ ବାହିନୀ ମୁତୟନ କରାଯାଇଛି । ୭୪ଟି ନକ୍ସଲପ୍ରବଣ ବୁଥରେ ୧୫ଟି ଆଣ୍ଟି ନକ୍ସଲ ସ୍କ୍ବାଡ ରହିଛନ୍ତି । ୧୧୨ଟି ବୁଥରେ ସ୍ବତନ୍ତ୍ର ସଶସ୍ତ୍ର ବାହିନୀ ମୁତୟନ ଅଛନ୍ତି । ଏହାସହିତ ୪୫ଟି ମୋବାଇଲ୍ ଟିମ୍ ମୁତୟନ କରାଯାଇଛି ।