ଓଡ଼ିଶା ହେବ ବିକାଶର ମୁଖଶାଳା: ନବୀନ
1 min readଭୁବନେଶ୍ୱର: ବିକାଶ ଆମର ଲକ୍ଷ୍ୟ । ଶିଳ୍ପାୟନକୁ ଆମର ସର୍ବାଧିକ ଫୋକସ । ଖୁବଶୀଘ୍ର ଓଡ଼ିଶା ଟ୍ରିଲିୟନ ଡଲାର ଅର୍ଥନୀତିକୁ ଛୁଇଁବ । ଆମେ ହିଁ ହେବୁ, ଦକ୍ଷିଣ ପୂର୍ବ ଏସିଆ ଓ ପୂର୍ବ ଭାରତ ବିକାଶର ମୁଖଶାଳା । ଆପଣମାନେ ଆସନ୍ତୁ, ନୂଆ ଓଡ଼ିଶା ଗଢିବାକୁ ରାଜ୍ୟରେ ଅଧିକରୁ ଅଧିକ ପୁଞ୍ଜି ଖଟାନ୍ତୁ । ବିକଶିତ ଓଡ଼ିଶାର ବନ୍ଧୁ ସାଜନ୍ତୁ । ମେକ ଇନ୍ ଓଡ଼ିଶା କନକ୍ଲେଭର ଦେଶ ଓ ବିଦେଶର ଶିଳ୍ପପତି ମାନଙ୍କୁ ଏମିତି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେଶ ଆବେଗର ସହ ନବୀନ କହିଲେ ମେକ୍ ଇନ୍ ଓଡ଼ିଶାର ଏ ତୃତୀୟ ସଂସ୍କରଣକୁ ଆପଣ ମାନଙ୍କୁ ମୁଁ ସ୍ୱାଗତ କରୁଛି । ଓଡ଼ିଶା ଏବେ ନୂଆ ସମ୍ଭାବନାର ରାଜ୍ୟ ପାଲଟିଛି । ବୃହତ ନିବେଶ ପ୍ରଥମ ପସନ୍ଦ ଏବେ ଓଡ଼ିଶା । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ମହିଳା ଶସକ୍ତିକରଣ ଓ ଦକ୍ଷତା ବିକାଶ କ୍ଷେତ୍ରରେ ଆମେ ଆଣିଛୁ ରୂପାନ୍ତରଣ ।
ସମୃଦ୍ଧ ଓଡ଼ିଶା-ବିକଶିତ ଓଡ଼ିଶା । ଏ ସ୍ୱପ୍ନକୁ ସଫଳ କରିବା ପାଇଁ ମୋ ରାଜ୍ୟବାସୀ, ମୋତେ ଭରସା କରିଛନ୍ତି । କ୍ରମାଗତ ଭାବେ ଆମକୁ ମିଳିଛି ଶାସନ ଡୋରୀ । ଏକ ସ୍ଥିର ସରକାର ହୋଉଛି ବିକାଶର ସବୁଠାରୁ ବଡ଼ ଉପାଦାନ । ନବୀନ ଆହୁରି କହିଲେ, ଆମ ସରକାରର କେନ୍ଦ୍ରବିନ୍ଦୂରେ ସବୁବେଳେ ରହିଛି ସାଧାରଣ ଲୋକ । ଆମର ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ପାଇଁ ଏବଂ ସେମାନଙ୍କୁ ମର୍ଯ୍ୟାଦାର ସହ ବଞ୍ଚିହବାର ସୁଯୋଗ ଦେବାକୁ ମୋ ସରକାର ଓ 5T ମଡେଲ ଆପଣାଇଛୁ । ଯାହା ବିଶ୍ୱ ସ୍ତରରେ ନୂଆ ବେଞ୍ଚମାର୍କ୍ ତିଆରି କରିଛି । ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳାଙ୍କର ଶସକ୍ତିକରଣ ହୋଇଛି । ରାଜ୍ୟରୁ ୫୦ ପ୍ରତିଶତ ଦାରିଦ୍ର୍ୟ ହଟାଇବା ସହ ଚାଷୀଙ୍କ ଆୟକୁ ଦୁଇଗୁଣା କରିପାରିଛୁ ।
ହାତଗଣତି ରାଜସ୍ୱ ବଳକା ରାଜ୍ୟ ମଧ୍ୟରେ ଓଡ଼ିଶା ଆଗରେ । ବିକାଶର ନୂଆ ଧାରାକୁ ଆପଣାଇବାକୁ ଆମେ ଶିଳ୍ପକୁ ସର୍ବାଗ୍ରେ ରଖିଛୁ । ଆମ ରାଜ୍ୟରେ ନିବେଶକାରୀଙ୍କୁ ସବୁ ପ୍ରକାର ସହାୟତା ଯୋଗାଇବୁ ସରକାର ସଙ୍କଳ୍ପବଦ୍ଧ । ଏଥିପାଇଁ ଆମେ ଆଣିଛୁ ନୂଆ ଶିଳ୍ପନୀତି । ଏଥିରେ ସହଯୋଗ ଓ ପ୍ରୋତ୍ସାହନ ଦେଶରେ ସବୁଠୁ ଆଗରେ । ପ୍ରର୍ଯ୍ୟଟନ , ବୟନଶିଳ୍ପ, ଖାଦ୍ୟ ପ୍ରକିୟାକରଣ, ଅକ୍ଷୟଶକ୍ତି କ୍ଷେତ୍ରରେ ମଧ୍ୟ ନିବେଶ ବଢାଇବାକୁ ଆମେ ଅନୁକୂଳ ନୀତି ଆଣିଛୁ । ଓଡ଼ିଶାରେ ପ୍ରାକୃତିକ ଖଣିଜ ପଦାର୍ଥର ଅଭାବ ନାହିଁ । ରେଳ ଲାଇନ, ବିମାନ ବନ୍ଦରରୁ ଆରମ୍ଭ କରି ବନ୍ଦର ଯାଏଁ ସବୁକୁଛି ସୁବିଧା ରହିଛି । ଦକ୍ଷ ମାନବ ସମ୍ଭଳ ଗଢି ତୋଳିବାକୁ ସ୍କିଲ୍ଜ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ହାତକୁ ନେଇଛୁ ।
ପୁଞ୍ଜିପତିଙ୍କୁ ସୁହାଇଲା ଭଳି ସମସ୍ତ ଅନୁକୂଳ ଶିଳ୍ପାୟନ ପରିବେଶ ଓଡ଼ିଶାରେ ଅଛି । ନିବେଶକ ମାନେ ବିନା ଦ୍ୱିଧାରେ ଓଡ଼ିଶା ଆସନ୍ତୁ, ନିବେଶ କରନ୍ତୁ, ସମୃଦ୍ଧ ଓଡ଼ିଶା ଗଠନରେ ଭାଗୀଦାରୀ ହୁଅନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ଓ ଅପିଲକୁ ଦେଶର ବିଶିଷ୍ଟ ଶିଳ୍ପପତିମାନେ ବେଶ୍ ସମର୍ଥନ ମଧ୍ୟ ଜଣାଇଛନ୍ତି ।