ଆସନ୍ତା ୧୦ରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୧୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି । ଜୁଲାଇ ୨୫ରେ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ ହେବ । ୨ ଦିନିଆ ଓଡ଼ିଶା ଗସ୍ତରେ ସେ ରାଜଭବନରେ ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହିଛି । ୧୧ ତାରିଖରେ ନୂଆଦିଲ୍ଲୀ ଫେରିବା ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି ।
ଗସ୍ତକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ସନ୍ତୋଷ ବାଳା ରାଷ୍ଟ୍ରପତିଙ୍କ ଗସ୍ତ ସମ୍ୱନ୍ଧିତ ପ୍ରାଥମିକ ସୂଚନା ଉପସ୍ଥାପନ କରିଥିଲେ । ବୈଠକରେ ମୁଖ୍ୟତଃ ରାଷ୍ଟ୍ରପତିଙ୍କ ଗସ୍ତ, ରହଣୀ ଓ ସଭା ଆଦି ସମୟରେ ଗାର୍ଡ ଅଫ୍ ଅନର, ଜାତୀୟ ସଂଗୀତ ବାଦନ, ବାରିକେଡ୍, ନିରାପତ୍ତା, ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ ସେବା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।