୨ଥର ଟି-୨୦ ବିଶ୍ୱକପ୍ ଚମ୍ପିଆନ ୱେଷ୍ଟଇଣ୍ଡିଜକୁ ହରାଇଲା ସ୍କଟଲ୍ୟାଣ୍ଡ

1 min read

ହୋବାର୍ଟ: ଗତକାଲି ଅର୍ଥାତ ୧୬ ତାରିଖରୁ ଟି-୨୦ ବିଶ୍ୱକପ୍ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଯେଉଁ ସବୁ ଆକଳନ କରାଯାଉଥିଲା ତାର ବିପରୀତ ଘଟଣା ଦେଖିବାକୁ ମିଳିଛି । ଗତକାଲି ଏସିଆ କପ୍ ବିଜେତା ଶ୍ରୀଲଙ୍କାକୁ ନାମବିଆ ଶୋଚନୀୟ ଭାବେ ପରାଜିତ କରିଥିଲା । ସେହିପରି ଦ୍ୱିତୀୟ ମ୍ୟାଚରେ ନେଦରଲ୍ୟାଣ୍ଡ ୟୁଏଇକୁ ହରାଇଥିଲା ।

ଆଜି ୩ୟ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ଓ ସ୍କଟଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିଲା । ୨ଥର ଟି-୨୦ ବିଶ୍ୱକପ୍ ବିଜେତା ୱେଷ୍ଟଇଣ୍ଡିଜ୍ ଆଜିର ମ୍ୟାଚରେ ପରାଜିତ ହୋଇଛି । ସ୍କଟଲ୍ୟାଣ୍ଡ ୧୬୧ରନର ଲକ୍ଷ୍ୟ ଦେଇଥିଲା ୱେଷ୍ଟଇଣ୍ଡିଜକୁ । ହେଲେ ଇଣ୍ଡିଜ ମାତ୍ର ୧୧୮ରନରେ ଅଲଆଉଟ୍ ହୋଇଯାଇଥିଲା । ୭ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସଂଖ୍ୟା ମଧ୍ୟ ଛୁଇଁପାରିନଥିଲେ ।

ସ୍କଟଲ୍ୟାଣ୍ଡର ସ୍ଲୋ ଲେଫ୍ଟ ଆର୍ମ ବୋଲର ମାର୍କ ୱାଟ ୩ୱିକେଟ୍ ଅକ୍ତିଆର କରିଛନ୍ତି । ସ୍କଟଲ୍ୟାଣ୍ଡ ଟିମ୍ ପକ୍ଷରୁ ସବୁଠୁ ବଡ଼ ଇନିଂସ ଜର୍ଜ ମୁନସି ଖେଳିଥିଲେ । ସେ ୬୬ ରନ୍ କରିଥିଲେ । ମାଇକେଲ ଜୋନସ ୨୦ ରନ୍, ବରିଙ୍ଗଟନ୍ ୧୬ ରନ୍ ଏବଂ ମାକଲିଅଡ ୨୩ ରନ୍ କରିଥିଲେ । ୱେଷ୍ଟଇଣ୍ଡିଜ ପକ୍ଷରୁ ଜୋସେଫ ଓ ହୋଲ୍ଡର ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଓଡିନ ସ୍ମିଥ ଗୋଟିଏ ୱିକେଟ୍ ଅକ୍ତିଆର୍ କରିଛନ୍ତି ।

 ସେହିପରି ୱେଷ୍ଟଇଣ୍ଡିଜର କେଲ୍ ମେୟର୍ସ ୨୦ ରନ୍, ଇଭିନ ଲୁଇସ୍ ୧୪ ରନ୍, ବ୍ରାଣ୍ଡନ କିଙ୍ଗ ୧୭ ଏବଂ ଜେସନ ହୋଲ୍ଡର ୩୮ ରନ୍ କରିଥିଲେ । ୧୮.୩ ଓଭରରେ ୧୧୮ ରନ୍ ରେ ଦଳ ତାର ସମସ୍ତ ୱିକେଟ୍ ହରାଇଥିଲା । ସ୍କଟଲ୍ୟାଣ୍ଡ ପକ୍ଷରୁ ମାର୍କ ୱାଟ୍ ୩ଟି ୱିକେଟ୍ ହାସଲ କରିଥିବା ବେଳେ ବ୍ରାଡ ହ୍ୱିଲ ଓ ମାଇକେଲ୍ ଲିସ୍କ ୨ ଟି ଲେଖାଏଁ ୱିକେଟ୍ ନେଇଥିଲେ ।