ପବ୍ଲିକ ସର୍ଭିସ ପରୀକ୍ଷାରେ ଏକାଠି ଉତ୍ତୀର୍ଣ୍ଣ ହେଲେ ମାଆ-ପୁଅ

1 min read

ନୂଆଦିଲ୍ଲୀ: ପ୍ରତିବର୍ଷ ପବ୍ଲିକ ସର୍ଭିସ ପରୀକ୍ଷାରେ ଅନନ୍ୟ ପରୀକ୍ଷାର୍ଥୀଙ୍କ ସମ୍ପର୍କରେ ଅନେକ ପ୍ରେରଣାଭରା କଥା ସାମ୍ନାକୁ ଆସିଥାଏ । ଏଥର ପରୀକ୍ଷାରେ କମାଲ ଦେଖାଇଛନ୍ତି ମାଆ-ପୁଅ । ପୁଅକୁ ଶିକ୍ଷା ଦେଉ ଦେଉ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ମାଆ । ଅନେକ ବାଧାବିଘ୍ନକୁ ପଛରେ ପକାଇ ପହଞ୍ଚିଛନ୍ତି ଲକ୍ଷ୍ୟସ୍ଥଳରେ । ଏକାଠି ପରୀକ୍ଷା ଦେଇ ପବ୍ଲିକ ସର୍ଭିସ ପରୀକ୍ଷାରେ କୀର୍ତ୍ତିମାନ ରଚିଛନ୍ତି କେରଳ ମାଲାପୁରାମର ମାଆ-ପୁଅ ।

ଏକାଠି କୋଚିଂ, ଏକାଠି ପାଠପଢ଼ା ଆଉ ଏକାସଙ୍ଗେ ଜନସେବା ଆୟୋଗ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ମାଆ ବିନ୍ଦୁ ଓ ପୁଅ ବିବେକ । ବିନ୍ଦୁଙ୍କ ବୟସ ୪୨ ହୋଇଥିବାବେଳେ ବିବେକଙ୍କ ବୟସ ୨୪ବର୍ଷ । ପରୀକ୍ଷା ପ୍ରସ୍ତୁତି ପାଇଁ ବାପା ସବୁ ପ୍ରକାର ବ୍ୟବସ୍ଥା କରିଥିବା ବେଳେ କୋଚିଂସେଣ୍ଟର ଶିକ୍ଷକଙ୍କଠାରୁ ବହୁତ ସାରା ପ୍ରେରଣା ମିଳିଥିଲା ବୋଲି ବିବେକ କହିଛନ୍ତି । ଆମେ ଏକାଠି ପାଠ ପଢୁଥିଲୁ ହେଲେ ଏକାଠି ସଫଳତା ହାସଲ କରିବୁ ବୋଲି କେବେ ଭାବି ନଥିଲୁ ବୋଲି ବିବେକ କହିଛନ୍ତି। ପିଲାବେଳୁ ପୁଅକୁ ପାଠ ପଢ଼ା ପ୍ରତି ପ୍ରୋତ୍ସାହିତ କରିବା ପାଇଁ ନିଆରା ଅଭ୍ୟାସ ଆରମ୍ଭ କରିଥିଲେ ବିନ୍ଦୁ । ପୁଅ ମାତ୍ର ୧୦ବର୍ଷର ହୋଇଥିବା ବେଳେ ବିନ୍ଦୁ ନିଜେ ବହି ଧରି ପାଠ ପଢ଼ିଥିଲେ । ଯାହାଫଳରେ ବିବେକଙ୍କର ପାଠ ପଢ଼ା ପ୍ରତି ଉତ୍ସାହ ବଢ଼ିଥିଲା । ଆଉ ଏବେ ଏହାର ପରିଣାମ ସ୍ୱରୂପ ମାଆ ପୁଅ କେରଳ ପବ୍ଲିକ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।

ଖବର ମୁତାବକ, ବିନ୍ଦୁ ଜଣେ ଅଙ୍ଗନବାଡ଼ି ଶିକ୍ଷକ। ସେ ନିଜ ଡ୍ୟୁଟି କରିବା ନିମନ୍ତେ ଯାଉଥିବାରୁ ଖୁବ୍ କମ୍ ସମୟ ନିଜ ପାଠପଢ଼ା ପ୍ରସ୍ତୁତିରେ ଦେଇପାରୁଥିଲେ। ପବ୍ଲିକ୍ ସର୍ଭିସ କମିଶନ ପରୀକ୍ଷାରେ ମା’ ୯୨ ରାଙ୍କରେ ରହିଥିବା ବେଳେ ପୁଅର ରାଙ୍କ ୩୮ ରହିଛି। ତେବେ ବିନ୍ଦୁ ଏଲ୍‌ଡିଏସ୍ ପାସ୍ କରିବା ନିମନ୍ତେ ଦୁଇଥର ଓ ଏଲ୍‌ଡିସି ପାସ୍ କରିବା ନିମନ୍ତେ ଥରେ ପ୍ରୟାସ କରିଥିଲେ। ପବ୍ଲିକ୍ ସର୍ଭିସ କମିଶନ ନିମନ୍ତେ ଏହା ତାଙ୍କର ଚତୁର୍ଥ ପ୍ରୟାସ ଥିଲା। ତେବେ ତାଙ୍କର ବାସ୍ତବିକ୍ ଲକ୍ଷ୍ୟ ଆଇସିଡିଏସ୍ ପର୍ଯ୍ୟବେକ୍ଷକ ପରୀକ୍ଷା ପାସ୍ କରିବା ଥିଲା। ଏଲ୍‌ଡିସିଏସ୍ ପରୀକ୍ଷା ପାସ୍ କରିବା ତାଙ୍କ ପାଇଁ ଏକ ବୋନସ୍ ହୋଇଛି।