କେନ୍ଦ୍ର ଉପରେ ବର୍ଷିଲେ ରାହୁଲ, କହିଲେ ଇଡିକୁ ଅସ୍ତ୍ର କରି ଡରାଇବାକୁ ହେଉଛି ଉଦ୍ୟମ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡିର ଆକ୍ସନକୁ ନେଇ ବର୍ଷିଲେ ରାହୁଲ ଗାନ୍ଧୀ । ଇଡିକୁ ଅସ୍ତ୍ର କରି ଡରାଇବାକୁ ଉଦ୍ୟମ ହେଉଛି । ଚାପ ପକାଇ ଚୁପ୍ କରାଇବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର । ତେବେ ଏଥିରେ କିଛି ଫରକ ପଡିବନି । ଗଣତନ୍ତ୍ରର ସୁରକ୍ଷା ପାଇଁ ଲଢ଼େଇ ଜାରି ରହିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ସେହିପରି ସଂସଦରେ ଜାରି ରହିଛି ହେରାଲ୍ଡ ହଙ୍ଗାମା । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଇଡିର ଆକ୍ସନକୁ ନେଇ କଂଗ୍ରେସ ସାଂସଦ ହୋହଲ୍ଲା କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ୍ ମଧ୍ୟ କେନ୍ଦ୍ର ଉପରେ ବର୍ଷିଛନ୍ତି ।

ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ଦିଲ୍ଲୀରେ ୟଙ୍ଗ ଇଣ୍ଡିଆ ଅଫିସକୁ ଇଡି ସିଲ୍ କରିବା ସହ ରେଡ୍ ବେଳେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ ଉପସ୍ଥିତ ରହିବାକୁ ନୋଟିସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପାର୍ଲାମେଣ୍ଟ ଚାଲିଥିବା ବେଳେ କିଭଳି ସମନ୍ କରାଯାଇଛି ବୋଲି ଖାର୍ଗେ ପ୍ରଶ୍ନ କରିଛନ୍ତି । ଏହି ମାମଲାରେ ପୂର୍ବରୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲଙ୍କୁ ଲଗାତାର ଜେରା କରିଥିଲା । ଦିଲ୍ଲୀରେ କଂଗ୍ରେସ ନେତାଙ୍କ ହଙ୍ଗାମା ଆଶଙ୍କାରେ କଂଗ୍ରେସ ହେଡକ୍ୱାର୍ଟର ସହ ସୋନିଆ ଓ ରାହୁଲଙ୍କ ବାସଭବନ ଆଗରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।